ଢେଙ୍କାନାଳ: ଏନଏଚ-୫୫ର ଢେଙ୍କାନାଳ କଲେଜ ବାଇପାସର ଓଭର ବ୍ରିଜରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା । ତିନୋଟି ଗାଡ଼ି ମଧ୍ୟରେ ପରସ୍ପର ଧକ୍କା ହୋଇଥିବା ଜଣାପଡ଼ିଛି । ମାତ୍ର ସୌଭାଗ୍ୟ ବଶତଃ ତିନୋଟି ଗାଡ଼ିରେ ଥିବା ସମସ୍ତ ଲୋକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପରେ ପ୍ରାୟ ଅଧ ଘଣ୍ଟା ସମୟ ଧରି ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଟାଉନ ପୁଲିସ ପହଁଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଉଦ୍ଧାର କରି ରାଜପଥକୁ ଯାତାୟତରେ ସ୍ୱାଭାବିକ କରିଥିବା ଜଣାପଡ଼ିଛି । ଛତିଶଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବୋଲେରୋକୁ ବଞ୍ଚାଇବା ପାଇଁ ଏକ ଅଙ୍ଗୁର ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବୋଲେରୋର ଆଜି ଅଂଶ କିଛି ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ଗାଡ଼ିରେ ଥିବା ଡ୍ରାଇଭର ସମେତ ୩ଜଣ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି । ଅପରପକ୍ଷରେ ଦୁର୍ଘଟଣାରେ ଗୋଟିଏ ଟ୍ରକ ଓଭର ବ୍ରିଜ ଗାର୍ଡ ୱାଲରେ ଧକ୍କା ହୋଇଥିବାରୁ କିଛି ଅଂଶ ଭାଙ୍ଗି ଯାଇଥିବା ଦେଖାଯାଇଛି । ତେବେ ଟ୍ରକ ଦୁଇଟିର ଡ୍ରାଇଭର ଓ ହେଲ୍ପରମାନେ ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି ।










