ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଭୁରୁଡିଆ ଗ୍ରାମର ଘଟଣା । ସୂଚନା ଅନୁଯାୟୀ ଉଦଳା ଅଞ୍ଚଳର ଜ୍ବାଇଁ ଶଶୁର ମଙ୍ଗୁଳୁ ଦଳେଇଙ୍କ ଘରକୁ ଆସିଥିବା ବେଳେ ଘର ନିକଟ ଆମ୍ବଗଛରେ ଦଉଡ଼ିରେ ଫାଶୀହୋଇ ଜ୍ବାଇଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସକାଳୁ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଉଦଳା ଥାନା ତେଲଦିହୁଡି ଗ୍ରାମର ସ୍ବର୍ଗତ ପଣ୍ଡୁ ମଲ୍ଲିକଙ୍କ ପୁଅ ସୀତାକାନ୍ତ ମଲ୍ଲିକ । ତେବେ ବିବାହ ୧୨ବର୍ଷ ପୂର୍ବରୁ ହୋଇଥିବାବେଳେ ୭ଦିନ ପୁର୍ବରୁ ସୀତାକାନ୍ତ ତାଙ୍କ ୪ ସନ୍ତାନ ଓ ସ୍ତ୍ରୀଙ୍କ ସହିତ ଆସି ଶ୍ୱଶୁର ଘରେ ରହୁଥିବା ବେଳେ ରବିବାର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା l ତେବେ ବିଳମ୍ବିତ ରାତିରେ ସୀତାକାନ୍ତ ଘରୁ ବାହାରି ଆସି ବିଲ ପାଖ ଏକ ଆମ୍ବଗଛରେ ଆତ୍ମହତ୍ୟା କରିଥିବାବେଳେ ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଥିଲେ ବୋଲି ଶଶୁର ଘର ଲୋକେ କହୁଛନ୍ତି। ଅପରପକ୍ଷରେ ପୁଅକୁ ମାରି ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ବେତନଟୀ ଥାନାରେ ଅଭିଯୋଗ ହୋଇଛି । ମାଣତ୍ରୀ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ପୂର୍ବକ ତଦନ୍ତ ଆରମ୍ଭ କରିଛି ।










