ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଆଜି ସର୍ବନିମ୍ନ ସ୍ତରକୁ ଚାଲି ଯାଇଛି। ସାରା ରାଜ୍ୟ ଆଜି ଅପରାଧ ପ୍ରବଣ ହୋଇପଡିଛି । ଅପରାଧୀ ମାନେ ନିର୍ଭୟରେ ଗୋଟିଏ ପରେ ଗୋଟିଏ ଅତି ନୃଶଂସ ବର୍ବର ଓ ଅତି ଅମାନବୀୟ ହତ୍ୟା ଘଟଣା ଘଟାଉଛନ୍ତି କିନ୍ତୁ ରାଜ୍ୟ ପୋଲିସ ଓ ରାଜ୍ୟ ସରକାର ଅପରାଧୀ ଙ୍କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଆଜି ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପୂର୍ତତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଞ୍ଚାନନ କାନୁନଗୋ ଅଭିଯୋଗ କରିଛନ୍ତି । ଏବେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମନ୍ଦିର ମାନଙ୍କରୁ ଅଳଙ୍କାର ସବୁ ଚୋରି ହେଉଛି ଏପର୍ଯ୍ୟନ୍ତ ଚୋରି ହୋଇଥିବା ଅଳଙ୍କାର ମଧ୍ୟ ଜବତ ହୋଇନାହିଁ କିମ୍ବା ଚୋର ମାନେ ଧରାପଡିନାହାନ୍ତି। ସାଧାରଣ ଲୋକ ଭୟରେ ବାହାରକୁ ଯିବାକୁ ଚାହୁଁନାହାନ୍ତି। ପୁଲିସ କମିଶନର ଙ୍କ ନାକନିଶ ତଳେ ଜଘନ୍ୟ ଅପରାଧ ଘଟୁଛି କିନ୍ତୁ ଅପରାଧ ଘଟୁଥିବା ସ୍ଥାନରେ ପୋଲିସ ର ଦେଖାମିଳୁନାହିଁ। ଏହା ଅତ୍ୟନ୍ତ ଉଦବେଗ ର ବିଷୟ। ଏଥିପାଇଁ ଏ ଅପାରଗ ସରକାର ସଂପୂର୍ଣ୍ଣ ଦାୟୀ ।
ପ୍ରଦେଶ କଂଗ୍ରେସ ର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଏ ରାଜ୍ୟ ର ପୋଲିସ ପ୍ରଶାସନରପ୍ରାଥମିକ ଦାୟିତ୍ବ ଜନସାଧାରଣଙ୍କୁ ସୁରକ୍ଷା ଦେବା କିନ୍ତୁ ଆଜି ପୋଲିସ ପ୍ରଶାସନ ଅପରାଧୀ ଓ ଅପରାଧୀତତ୍ବ ମାନଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ। ଗତ ତିନିଦିନ ତଳେ ବାଲିଅନ୍ତାରେ ପୋଲିସ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ଙ୍କୁ ଯେଉଁଭଳି ଭାବରେ ପିଟି ପିଟି ମାରିଦିଆଗଲା ଏବଂ କମିଶସନରେଟ ପୋଲିସ ଉପସ୍ଥିତ ରେ ତାହା ଘଟିଗଲା ଏହା ଅତ୍ୟନ୍ତ ଚିନ୍ତାର କାରଣ । ପିସିଆର ଭେନ ରେଥିବା ସମସ୍ତ ପୋଲିସ କର୍ମଚାରୀ ମାନେ ଏ ଘଟଣାକୁ ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ଯଦି କରି ନପାରିଲେ ସେ ବାଲିଅନ୍ତା ଥାନାର ଆଇଆଇସି ଓ ଜୋନ ଏସ୍ ପି ଙ୍କୁ ଜଣାଇଥିଲେ କି ? ଯଦିହଁ ତାହେଲେ ଥାନାରୁ ଅଳ୍ପ କେଇ କିଲୋମିଟର ଦୁରତାରେ ଘଟିଚାଲିଥିବା ଭିଡ ହିଂସା କୁ କାହିଁକି ଅଧିକ ପୋଲିସ ଫୋର୍ସ କିମ୍ବା ଅଧିକାରୀ ମାନେ ଆସିଲେ ନାହିଁ ? ସୌମ୍ୟରଂଜନଙ୍କ ମୁତ୍ୟୁ ର ୨୪ ଘଣ୍ଟା ନପୁରୁଣୁ ଗତକାଲି ରାତିରେ ବାଲିପଟଣାରେ ଆଉଏକ ଘଟଣାରେ ଏକ ଯୁବକକୁ କିଛି ମୁଷ୍ଟିମେୟ ଯୁବକ ପିଟି ପିଟି ମାରିଦେଲେ। ଏଭଳି ଭିଡହିଂସାରେ ସାରା ରାଜ୍ୟରେ ବହୁ ନିରିହ ଜୀବନ ଗଲାଣି । ବାଲେଶ୍ବର ଜିଲ୍ଲାରେ ଗୋଚାଲାଣ କାରବାର ଆରୋପ ଲଗାଇ ଜଣେ ମୁସଲିମ ଯୁବକଙ୍କୁ ପିଟି ପିଟି ମାରିଦିଆଗଲା, ମୟୁରଭଞ୍ଜ ଜିଲ୍ଲା ଢେଙ୍କାନା. ଗଞ୍ଜାମ ,ପୁରୀ ଜିଲ୍ଲାର କଣାସ ଓ ସମ୍ବଲପୁର ଭଳି ଅନେକ ଜିଲ୍ଲାରେ ଏଭଳି ଘଟଣା ଘଟୁଛି ଓ ଲୋକଙ୍କୁ ମାରିଦିଆଯାଉଛି। ୨୦୨୪ ଏନସିଆରବି ରିର୍ପୋଟର ତଥ୍ୟ ଅନୁସାରେ ଓଡିଶା ଆଜି ଭାରତବର୍ଷର ପ୍ରଥମ ରାଜ୍ୟ ଯେଉଁଠି ସଂଗଠିତ ଅପରାଧ ମହିଳା ମାନଙ୍କପ୍ରତି ହେଉଛି ଯଥା ଦୁଷ୍କର୍ମ ଗଣଦୁଷ୍କର୍ମ, ହତ୍ୟ ଓ ଅପହରଣ । ରାଜ୍ୟରେ ଏକ ଲକ୍ଷ ମହିଳାଙ୍କ ମଧ୍ୟର ୧୬୧. ୬ ଜଣଙ୍କ ଉପରେ ଏଭଳି ଅପରାଧ ଘଟୁଛି ବୋଲି ଏହି ରିର୍ପୋଟରୁ ପ୍ରକାଶ । ଅନ୍ୟ ରାଜ୍ୟକୁ ନାବାଳିକା ଓ ମହିଳା ଚାଲାଣ ରେ ଓଡିଶା ସାରା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ପାଇଛି । ଏପରିକି ବିହାର ରେ ମହିଳା ଙ୍କ ଉପରେ ଘଟୁଥିବା ଅପରାଧଠାରୁ ଓଡିଶା ରେ ୨ଗୁଣା ଅଧିକ ଅପରାଧ ଘଟିଛି। ସାରା ଦେଶରେ ଓଡିଶା ସମସ୍ତ ଅପରାଧ କ୍ଷେତ୍ରରେ ରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେଲେ ରାଜ୍ୟରେ ଡବଲ ବିକାଶ ହେବ ବୋଲି କହିଥିଲେ କିନ୍ତୁ ବିକାଶ ବଦଳରେ ଡବଲ ବିନାଶ ହେଉଛି।
ଅନ୍ୟଏକ ମୁଖପାତ୍ର ଶ୍ରୀ କୃଷ୍ଣଚନ୍ଦ୍ର ପତି କହିଲେ ଦୀର୍ଘ ଦିନ ଧରି ପୋଲିସ କର୍ମଚାରୀଙ୍କ ବଦଳି ହେଉନାହିଁ ଫଳରେ କର୍ତ୍ତବ୍ୟ ପରିବର୍ତ୍ତେ ତେଲମାରିବାରେ ସମସ୍ତେ ବ୍ୟସ୍ତ। କମିସନରେଟ ପୋଲିସ ର ସ୍ଲୋଗାନ ଉଇଡେୟାର ଉଇ କେୟାର କୁଆଡେ ଗଲା ବୋଲି ସେ ପଚାରିଛନ୍ତ । ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବୀ କରିବା ସହିତ ଡିଜି ଙ୍କ ଇସ୍ତଫା ଦାବୀ କରିଛି । ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ଦାବୀ କରିଛି । ଅନ୍ୟମାନଙ୍କ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ହିମଂଶୁ ଲେଙ୍କା ଓ ମହିଳା କଂଗ୍ରେସ ର ଗଣମାଧ୍ୟମ ଅଧ୍ୟକ୍ଷ ଜୟସ୍ମିତା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।










