କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମୁରିବାହାଲରେ ମହିଳାଙ୍କୁ ହତ୍ୟା ଅଭିଯୋଗ ନେଇ ଉତ୍ତେଜନା । ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ବଙ୍ଗୋମୁଣ୍ଡା-ଟିଟିଲାଗଡ଼ ୫୯ ନଂ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ଗ୍ରାମବାସୀ । ମୁରୀବାହାଲ ଥାନା ଚିତ୍ରାମୁଣ୍ଡା ଗାଁରେ ପରିତ୍ୟକ୍ତ କୂଅରୁ ବିବାହିତ ମହିଳାଙ୍କ ମୃତଦେହ ମିଳିଥିଲା । ହତ୍ୟା କରି ଶବ ପୋତି ଦେବାକୁ ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି । ମୁରିବହାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ମୃତ ରଞ୍ଜିତା ସାହୁ ଶନିବାର ସକାଲୁ ନିଜ କପା ଚାଷ କରିଥିବା ଜମିକୁ ଯାଇଥିଲେ। ସଂଧ୍ୟା ସୁଦ୍ଧା ସେ ଘରକୁ ଫେରିନଥିବା ବେଳେ ରଞ୍ଜିତାଙ୍କ ଝିଅ ତାଙ୍କ ମାମୁ ଘର ଲୋକଙ୍କୁ ଖବର ଦେଇଥିଲେ । ରଞ୍ଜିତାଙ୍କ ବାପ ଘର ଲୋକ ଆସି ଦେଖିବା ପରେ ଏହା ହତ୍ୟା ବୋଲି ସେମାନେ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ ତିନି ସନ୍ତାନ ଅଛନ୍ତି । ତେବେ ପରିତ୍ୟକ୍ତ କୂଅରେ ମହିଳାଙ୍କ ମୃତଦେହ କେମିତି ଓ କିଏ ପକାଇଲା, ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।










