ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ବଞ୍ଚିତ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମେ ୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏକ ଲକ୍ଷ ୨୩ ହଜାର ୮୪୯ ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ଏକ୍ସରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବଞ୍ଚିତ ହିତାଧିକାରୀଙ୍କ ସହ ନୂଆ ଭାବେ ଯୋଡି ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ର ଟଙ୍କା ମିଳିବ। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ଚତୁର୍ଥ କିସ୍ତି। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯାଇଥିଲା। ଏକକାଳୀନ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିଥିଲା। ହେଲେ ଚତୁର୍ଥ କିସ୍ତି ବେଳେ ପୂର୍ବରୁ ପ୍ରଥମ ତିନୋଟି କିସ୍ତି ପାଇଥିବା ଅନେକ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତିର ଟଙ୍କା ମିଳି ନ ଥିଲା। ଏହାକୁ ନେଇ ହିତାଧିକାରୀ ଚିନ୍ତାରେ ପଡ଼ିଥିଲେ। ହେଲେ ସେହି ହିତାଧିକାରୀଙ୍କ ସହ ନୂଆ ଭାବେ ଜଡ଼ିତ ହୋଇଥିବା ହିତାଧିକାରୀଙ୍କୁ ମେ ୪ରେ ସୁଭଦ୍ରା ଟଙ୍କା ମିଳିବ।ଏପ୍ରିଲ ୧ରୁ ସୁଭଦ୍ରା ନୂତନ ପଞ୍ଜିକରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପ୍ରିଲ ୩୦ରେ ଏହା ଶେଷ ହୋଇଥିଲା।










