ପାଟଣା: ଭଉଣୀର ଶବ ବ୍ୟାଙ୍କ ନେବା ଘଟଣାରେ ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ଅତିରିକ୍ତ ତହସିଲଦାର ଓ ବିଡିଓ ପାଟଣା ବ୍ଲକ ଡିଆନାଳି ଗାଁରେ ପହଞ୍ଚିଥିଲେ। ଏପରିକି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ରିଜିଓନାଲ୍ ମ୍ୟାନେଜର ଗାଁକୁ ଯାଇ ଭଉଣୀର ମୃତଦେହ ମାଟିତଳୁ ଖୋଳି ଆଣିଥିବା ଭାଇ ଜିତୁ ମୁଣ୍ଡାଙ୍କୁ ଭେଟିଥିଲେ। ଗଣମାଧ୍ୟମରେ ଖବର ପ୍ରସାରଣକୁ ନେଇ ଅଡୁଆରେ ପଡୁଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଜିତୁ ୧୯ ହଜାର ୩୦୦ ଟଙ୍କା ପାଇଁ ବ୍ୟାଙ୍କକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ । ମୃତ ବଡ଼ ଭଉଣୀଙ୍କ ବ୍ୟାଙ୍କ ଜମା ଖାତାରେ ଥିବା ଟଙ୍କା ଉଠାଇବାକୁ ସାନ ଭାଇକୁ ପ୍ରମାଣ ମାଗିଥିଲେ ବ୍ୟାଙ୍କ ପରିଚାଳକ। ତେବେ ମୃତ୍ୟୁ ପ୍ରମାଣପତ୍ର ପରିବର୍ତ୍ତେ ବଡ଼ ଭଉଣୀର କବରରୁ କଙ୍କାଳ କାଢ଼ି ସାନଭାଇ ସିଧା ପହଞ୍ଚିଥିଲେ ବ୍ୟାଙ୍କରେ। ବଡ଼ ଭଉଣୀର କଙ୍କାଳ ବ୍ୟାଙ୍କ ପରିଚାଳକଙ୍କୁ ଦେଖାଇ ଜମା ଖାତାରେ ଥିବା ଟଙ୍କା ପ୍ରଦାନ କରିବାକୁ ସାନଭାଇ ଦାବି କରିବା ଚର୍ଚ୍ଚାର ବିଷୟ ହୋଇଥିଲା। ସେପଟେ ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ ଶାଖା ଆଇଓବି। ସେ କହିଛନ୍ତି ମାଲିପୋଷି ଶାଖା କର୍ତ୍ତୃପକ୍ଷ ମୃତ ବ୍ୟକ୍ତିର ଶବ ଆଣିବା ପାଇଁ କହିନଥିଲେ। ମୃତଦେହ ଆଣିଥିବା ଜିତୁ ମୁଣ୍ଡା ସେଦିନ ବ୍ୟାଙ୍କକୁ ପ୍ରଥମ ଥର ଆସିଥିଲା। ପୂର୍ବରୁ ଆସିଥିବା ନେଇ ଯାହା କୁହାଯାଉଛି ତାହା ସତ୍ୟ ଆଧାରିତ ନୁହେଁ। ବ୍ୟାଙ୍କ କର୍ତ୍ତୃପକ୍ଷ ଉପଯୁକ୍ତ ପ୍ରମାଣପତ୍ର ଆଣିବା ପାଇଁ କହିଥିଲେ। ବ୍ୟାଙ୍କ ପରିସରକୁ ମୃତଦେହ ଆଣିବାରୁ ପୁଲିସକୁ ଖବର ଦିଆଯାଇଥିଲା।










