ଭୁବନେଶ୍ୱର: ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି । ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ନବୀନ । କେନ୍ଦୁଝର ଜିଲ୍ଲାର ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପୋସି ଶାଖା ସମ୍ପର୍କରେ ଲେଖିଲେ । ବ୍ୟାଙ୍କ ଅଧିକାରୀଙ୍କର ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି । ଏହି ଅଭାବନୀୟ ଘଟଣା ସମଗ୍ର ଓଡିଶାରେ ଜନଭାବନାକୁ ଆଘାତ ଦେଇଛି । ଏହି ଅଭାବନୀୟ ତ୍ରଟି ପାଇଁ କିଏ ଦାୟୀ ତୁରନ୍ତ ସ୍ଥିର କରାଯାଉ । ଏହା ଗ୍ରାମୀଣ ବ୍ୟାଙ୍କଗୁଡିକୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସହଜ କରିବ । ଆପଣଙ୍କ ହସ୍ତକ୍ଷେପ ଦ୍ୱାରା କୌଣସି ସ୍ଥାନରେ ଘଟଣାର ପୁନରାବୃତ୍ତି ହେବ ନାହିଁ । ନାଗରିକଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାର ଦେଶର ଅନ୍ୟ ସ୍ଥାନରେ ହେବନି । ସୂଚନାଥାଉକି ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା ଙ୍କର ବଡ଼ ଭଉଣୀ କାଲରା ମୁଣ୍ଡା ଙ୍କର ଗତ ଜାନୁଆରୀ ୨୬ ତାରିଖରେ ପେଟ ରୋଗ କାରଣରୁ ମୃତ୍ୟୁ ଘଟିଥିଲା। ତାଙ୍କ ନାମରେ ବଳଦ ବିକ୍ରି ବାବଦ ପାଖାପାଖି ୨୦ ହଜାର ଟଙ୍କା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ରହିଥିଲା। ଏହି ଟଙ୍କା ଉଠାଇବା ପାଇଁ ସାନ ଭାଇ ଜିତୁ ବାରମ୍ବାର ବ୍ୟାଙ୍କକୁ ଦଉଡ଼ି ନିରାଶ ହୋଇଥିଲେ। ଶେଷରେ ବ୍ୟାଙ୍କ ପରିଚାଳକ ଭଉଣୀକୁ ନେଇକରି ଆସ, ଟଙ୍କା ଦେବି କହିବାରୁ ସୋମବାର ଜିତୁ ମୁଣ୍ଡା ଭଉଣୀର କଙ୍କାଳକୁ କବରରୁ ବାହାର କରି ଏକ ବସ୍ତାରେ ପୂରାଇ ବ୍ୟାଙ୍କକୁ ଆଣିଥିଲେ। ବ୍ୟାଙ୍କ ପିଣ୍ଡାରେ କଙ୍କାଳ ରଖି ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଶାଖା ପରିଚାଳକଙ୍କୁ କହିଥିଲେ।










