ନୂଆଦିଲ୍ଲୀ: ୟୁରୋପୀୟ ସଂଘ ଉପରେ ଟ୍ରମ୍ପଙ୍କ ଟାରିଫ ପ୍ରହାର । ଆସନ୍ତା ସପ୍ତାହରୁ ୟୁରୋପୀୟ ସଂଘରେ ଥିବା ଦେଶରୁ ଆସୁଥିବା କାର ଓ ଟ୍ରକ ଉପରେ ୨୫ ପ୍ରତିଶତ ଟାରିଫ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ । ବାଣିଜ୍ୟିକ ଚୁକ୍ତି ପାଳନ କରୁନଥିବାର ଅଭିଯୋଗ ଆଣିଛି ଆମେରିକା । ତେବେ ଆମେରିକା ପ୍ଲାଣ୍ଟରେ ତିଆରି ହେଉଥିବା ଗାଡି ଉପରେ ଏହି ଅତିରିକ୍ତ ଟିକସ ଲାଗୁ ହେବ ନାହିଁ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଆସନ୍ତା ସପ୍ତାହରୁ ୟୁରୋପୀୟ ସଂଘର ଦେଶ ଗୁଡିକରୁ ଆସୁଥିବା କାର ଓ ଟ୍ରକ ଉପରେ ଟିକସ ବୃଦ୍ଧି କରିବି । ଟାରିଫ ବୃଦ୍ଧି କରି ୨୫ ପ୍ରତିଶତ କରାଯିବ । କେବଳ ଏତିକି ନୁହେଁ, ଗଣମାଧ୍ୟମ ସଂସ୍ଥାର ରୟଟର୍ସର ସୂଚନା ଅନୁଯାୟୀ, କ୍ୟୁବା ଉପରେ ନୂଆ କଟକଣା ଲଗାଇବାକୁ ମଧ୍ୟ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ଇରାନ ସହ ସୁସମ୍ପର୍କ ରଖିବା ଓ ହିଜବୁଲ୍ଲା ଭଳି ଆତଙ୍କୀ ସଙ୍ଗଠନକୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ଆମେରିକା ।










