30.1 C
Bhubaneswar
Tuesday, April 28, 2026
Homeଓଡିଶାକୋଇଲା ଖଣି ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ...

କୋଇଲା ଖଣି ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଇଲା ଖଣି ଥିବା ଜିଲ୍ଲାମାନଙ୍କର ତାପଜ ଶକ୍ତି ତଥା ଅନ୍ୟାନ୍ୟ ପ୍ରକଳ୍ପରେ ଜମି ଅଧିଗ୍ରହଣ, ସାଧାରଣ ଲୋକଙ୍କ ପୁନର୍ବାସ ଓ ଥଇଥାନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଗୋଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲାର ଖଣି ଖନନ ଏବଂ ତାପଜ ଶକ୍ତି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା l ଜମି ଅଧିଗ୍ରହଣ ଯୋଗୁଁ ବିସ୍ଥାପିତ ଜନସାଧାରଣଙ୍କ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି l

ଖଣି ଏବଂ ଶିଳ୍ପାଞ୍ଚଳମାନଙ୍କରେ ବିଭିନ୍ନ ଖଣି କମ୍ପାନୀ ମାନଙ୍କ ପକ୍ଷରୁ ଟ୍ରକମାନଙ୍କ ଦ୍ଵାରା ଫ୍ଲାଏ ଆଶ୍ ପରିବହନ ହେବା ଦ୍ଵାରା ପ୍ରଦୂଷଣ ସମସ୍ୟା ଉପୁଜୁଥିବାରୁ ମାନ୍ୟବର ମନ୍ତ୍ରୀ ଏ ସମ୍ପର୍କରେ ତାଗିଦ୍ କରିବା ସହ କେବଳ ନିର୍ଦ୍ଦିଷ୍ଟ ସୀମିତ ସମୟ ମଧ୍ୟରେ ହିଁ ଟ୍ରକ୍ ମାନଙ୍କର ପରିବହନ ନିମନ୍ତେ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କ୍ଷେତ୍ରାଧିକାରୀମାନେ ଏ ସମ୍ପର୍କରେ ନିୟମିତ ପର୍ଯ୍ୟବେକ୍ଷଣ କରି ପ୍ରଦୂଷଣ ସମସ୍ୟାର ସମାଧାନ ସୁନିଶ୍ଚିତ କରିବା ଦିଗରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ ଜିଲ୍ଲାମାନଙ୍କରେ ରାସ୍ତାରେ ପରିବହନକୁ ହ୍ରାସ କରି ଭୂତଳ ମାଧ୍ୟମରେ ଫ୍ଲାଏ ଆଶ୍ ନିଷ୍କାସନ ତଥା ଅନ୍ୟାନ୍ୟ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବାର ବ୍ୟବସ୍ଥା କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l ଟ୍ରାଫିକ୍ ସମସ୍ୟା ତଥା ପର୍ଯ୍ୟାବରଣ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରାତି ସମୟରେ ଏବଂ ଟ୍ରକରେ ଘୋଡ଼ାଇ ଫ୍ଲାଏ ଆଶ୍ ପରିବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ପାଉଁଶ ପରିବହନ କାର୍ଯ୍ୟରେ ପର୍ଯ୍ୟାୟକ୍ରମେ ଖୋଲା ଟ୍ରକ୍ ପରିବର୍ତ କଭର୍ ଟ୍ରକ ବା କଣ୍ଟେନର୍ ବ୍ୟବହାର କରିବାପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପାଉଁଶ ପରିବହନ ପୂର୍ବରୁ ପ୍ରାମାଣିକ କାର୍ଯ୍ୟପଦ୍ଧତି ସମ୍ପର୍କିତ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ନିୟମ ବହିର୍ଭୂତ ଅଥବା ପରିବେଶ ବିରୋଧୀ ତଥା ଅନଧିକୃତ ଭାବରେ ପାଉଁଶ ପକାଇଲେ ଦୃଢ଼ ଆଇନଗତ ପଦକ୍ଷେପ ନେବାପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ସେହିପରି ମହାନଦୀ କୋଲଫିଲ୍ଡସ ଲିମିଟେଡ଼୍ (ଏମସିଏଲ୍)କୁ ସେମାନଙ୍କର ଅଧିଗୃହିତ ଜମି ଉପରେ ଜମିପଟ୍ଟା ପ୍ରଦାନ କରିବା ସହ ସ୍ଥାନୀୟ ଅଞ୍ଚଳରେ ବିସ୍ଥାପିତ ଜନସାଧାରଣଙ୍କ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ କମ୍ପାନୀମାନଙ୍କୁ ପ୍ରଥମେ ସରକାରୀ ଜମି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବା ସହ ଆବଶ୍ୟକସ୍ଥଳେ ଶେଷ ବିକଳ୍ପ ଭାବେ ବ୍ୟକ୍ତିଗତ ଜମି ଅଧିଗ୍ରହଣ ନିମନ୍ତେ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l କମ୍ପାନୀମାନେ ସାଧାରଣଲୋକଙ୍କୁ ଜମିର ସଠିକ୍ ମୂଲ୍ୟ ପ୍ରଦାନ ସହ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଏବଂ ସେମାନଙ୍କ ନିମନ୍ତେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l

ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, “ବିକାଶ ନିମନ୍ତେ ଆମେ ଖଣି ଚାହୁଁ, ଆମେ ଶିଳ୍ପ ମଧ୍ଯ ଚାହୁଁ ; ମାତ୍ର ସର୍ବପ୍ରଥମେ ଆମେ ସାଧାରଣ ଲୋକଙ୍କ ପକ୍ଷଧାରୀ l ତେଣୁ ସେମାନଙ୍କ ଜୀବନକୁ ଆମେ ବିପଦରେ ପକାଇପାରିବା ନାହିଁ l ଗରିବ ଶ୍ରେଣୀର ଲୋକଙ୍କୁ ବିସ୍ଥାପିତ କରି ଅନ୍ୟ ଉଚ୍ଚପଦସ୍ଥ ଲୋକଙ୍କ ପାଇଁ ଗୃହ ନିର୍ମାଣ କରିବା କଦାପି ସମୀଚୀନ ନୁହେଁ l” ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ସ୍ଵାର୍ଥ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ଶିଳ୍ପ ବିକାଶକୁ ଆଗକୁ ନେବାକୁ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l।

ସେହିପରି ଜମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟାଗୁଡିକୁ ପୁନର୍ବିଚାର କରାଯାଇ, ଭୂମି ହରାଇଥିବା ତଥା ବିସ୍ଥାପିତ ବ୍ୟକ୍ତିମାନଙ୍କ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ପୁନର୍ବାସ ଏବଂ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା ସମିତି (ଆରପିଡିଏସି) ମାଧ୍ୟମରେ ସିବି କ୍ଲଜ୍ (CB Clause)ରୁ କୋଇଲା ଖଣି ନଥିବା ଅଞ୍ଚଳକୁ ବାଦ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି l ସେହିପରି ଜମି ଅଧିଗ୍ରହଣ ସମୟରେ ଖଣି ଖନନ ଏବଂ ପାଉଁଶ ନିଷ୍କାସନ କରୁଥିବା ଶିଳ୍ପ ନିମନ୍ତେ ବାସ-ଅନୁପଯୋଗୀ ହୋଇପଡ଼ିଥିବା ନିକଟସ୍ଥ ଜମି ଗୁଡ଼ିକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନିଆଯାଇଛି lଶିଳ୍ପ ଏବଂ ଖଣି କମ୍ପାନୀଗୁଡ଼ିକୁ ବିସ୍ଥାପିତ ଲୋକମାନଙ୍କ ପୁନର୍ବାସ ଏବଂ ଥଇଥାନ ନିମନ୍ତେ ବିକଶିତ ଅଞ୍ଚଳରେ ନୂଆ କଲୋନୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ଥାପିତ ସାଧାରଣଲୋକଙ୍କ ସୁବିଧା ସୁଯୋଗ ଏବଂ ଅଧିଗ୍ରହଣଜନିତ ମାମାଲା ତଥା ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି ନୂତନ ପୁନର୍ବାସ ଓ ଥଇଥାନ ନିୟମ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି l

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ-ସଚିବ ମନୋଜ ଭି ନାୟାର, ବିଭାଗୀୟ ଅତିରିକ୍ତ ସଚିବ, ଏନଟିପିସି, ଦରଲିପାଲିର ସାଧାରଣ ପରିଚାଳକ, ଓପିଜିସି, ବନହରପାଲିର ପରିଚାଳନା ନିର୍ଦେଶକ, ବିଭିନ୍ନ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ ଏବଂ ସୁନ୍ଦରଗଡ଼ର ଜିଲ୍ଲାପାଳ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ, ଏମସିଏଲର ଏମଡି ଶ୍ରୀ ଉଦୟ ଏ କାଓଲେ ଏବଂ ଏନଏଲସି ତଳବୀରାର ସାଧାରଣ ପରିଚାଳକ ତଥା ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଗଣ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking