ବାରାଣାସୀ/ଭୁବନେଶ୍ୱର: ସଚିନ ରାମଚନ୍ଦ୍ର ଜାଧବ, କମିଶନର ତଥା ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରାଣାସୀ ସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ଦକ୍ଷିଣ ଏସୀୟ ଆଞ୍ଚଳିକ କେନ୍ଦ୍ର (International Rice Research Institute – South Asia Regional Centre) ପରିଦର୍ଶନ କରିଛନ୍ତି। ଏକ ସ୍ଥାୟୀ କୃଷି ପ୍ରଣାଳୀ, ଡିଜିଟାଲ୍ କୃଷି ଓ ଧାନ ମୂଲ୍ୟ ଶୃଙ୍ଖଳର ବିକାଶ ଦିଗରେ ସହଯୋଗକୁ ସୁଦୃଢ଼ କରିବା ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରତିଷ୍ଠାନ ଅନ୍ତରୀଣ ନିର୍ଦ୍ଦେଶକ ଡ଼. ବିକାଶ କୁମାର ସିଂହ ବରିଷ୍ଠ ବୈଜ୍ଞାନିକ ଏବଂ ଏହାର ସଦସ୍ୟମାନେ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରିବା ସହିତ ଓଡ଼ିଶାରେ ISARC ର ଜାରି ରହିଥିବା କାର୍ଯ୍ୟ ଏବଂ ଜଳବାୟୁ-ସହନଶୀଳ ଓ ପ୍ରଯୁକ୍ତି-ଚାଳିତ କୃଷିରେ ଏହାର ଭୂମିକାକୁ ଉଲ୍ଲେଖ କରିଥିଲେ। ଏହି ଗସ୍ତ ସମୟରେ ସଚିବ ଶ୍ରୀ ଜାଧବ “Optimizing Agricultural Land Use and Rice Fallow in Odisha with Geospatial Technology and a Decision Support System” ଶୀର୍ଷକ ଏକ ଦୁଇ-ଦିନିଆ କର୍ମଶାଳାର ଉଦ୍ଘାଟନ କରିଥିଲେ। ୨୮ ଏବଂ ୨୯ ଦୁଇ ଦିନ ଧରି ଆୟୋଜିତ ହେଉଥିବା ଏହି କର୍ମଶାଳାରେ ରାଜ୍ୟରୁ ପ୍ରାୟ ୨୩ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରତିନିଧିମଣ୍ଡଳକୁ IRRI ର ଭାରତରେ କାର୍ଯ୍ୟପ୍ରଣାଳୀ ଓ ଓଡିଶାରେ ISARC ର ପ୍ରମୁଖ ଗବେଷଣା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଯାଇଥିଲା। ଏହା ସହିତ ରିମୋଟ୍ ସେନ୍ସିଂ-ଆଧାରିତ ନିଷ୍ପତ୍ତି ସହାୟତା ପ୍ରଣାଳୀ, ସ୍ପିଡ୍ ବ୍ରିଡିଂ, ମେକାନାଇଜେସନ୍ ହବ୍ ପରି ଅତ୍ୟାଧୁନିକ ସୁବିଧାଗୁଡ଼ିକୁ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା। ପ୍ରତିନିଧିମଣ୍ଡଳ CERVA (ଧାନ ମୂଲ୍ୟ ସଂବର୍ଧନ ଉତ୍କୃଷ୍ଟତା କେନ୍ଦ୍ର) ପରୀକ୍ଷାଗାରକୁ ମଧ୍ୟ ଗସ୍ତ କରିଥିଲେ, ଯେଉଁଠାରେ ଓଡିଶାର ଧାନ ଓ ମାଣ୍ଡିଆ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ କରିବା ପାଇଁ ନବୀନତମ ଉତ୍ପାଦ ବିକାଶ, ପ୍ରସ୍ତୁତିକରଣ ଓ ମୂଲ୍ୟ ବୃଦ୍ଧି ବିଷୟରେ ଆଲୋଚନା ହୋଇଥିଲା। ପରେ “ସ୍ୱୟଂ ସହାୟକ ଗୋଷ୍ଠୀ-ନେତୃତ୍ୱାଧୀନ ଉଦ୍ୟମିତାକୁ ଧାନ ମୂଲ୍ୟ ସଂବର୍ଧନ ମାଧ୍ୟମରେ ପ୍ରୋତ୍ସାହନ” ପ୍ରକଳ୍ପର ସମୀକ୍ଷା କରାଯାଇଥିଲା।
ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଭୁବନେଶ୍ୱରରେ ଏକ ବିଶେଷ ଧାନ ଓ ମାଣ୍ଡିଆ କାରଖାନା-ସହ-ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବା, ଯେଉଁଥିରେ ଅତ୍ୟାଧୁନିକ ଖାଦ୍ୟ ପ୍ରସ୍ତୁତିକରଣ ପାଇଁ ପ୍ରାଣାଳୀ ରହିବ। IRRI ଦ୍ୱାରା ବିକଶିତ ପୋଷଣ-ସମୃଦ୍ଧ Low-GI, Ultra-Low GI ଓ ଉଚ୍ଚ ପ୍ରୋଟିନ୍ ଧାନ ପ୍ରଜାତି ସହିତ ଧାନ-ମାଣ୍ଡିଆ ଆଧାରିତ ଖାଦ୍ୟ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବା ନେଇ ଗୁରୁତ୍ୱ ଦିଆଯାଇଥିଲା।










