ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଆରପିଏଫ ସୁରକ୍ଷା ପ୍ରଦାନ କରାଯାଇଛି। ଆମ ଆଦମୀ ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପରେ ତାଙ୍କ ପ୍ରତି ବିପଦ ବଢ଼ିଥିବା ଆଶଙ୍କା କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ସୂଚନା ଅନୁଯାୟୀ, ଗତ ଶନିବାର ପଞ୍ଜାବର ଜଲନ୍ଧରସ୍ଥିତ ହରଭଜନଙ୍କ ବାସଭବନ ବାହାରେ ଆପ୍ କର୍ମୀମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିବା ସହ ତାଙ୍କର ଦଳବଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟ ଯୋଗାଇ ଦେଇଛନ୍ତି। ଏବେ ଦିଲ୍ଲୀ ଓ ପଞ୍ଜାବରେ ସିଆରପିଏଫ କମାଣ୍ଡୋମାନେ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ।










