ମୁମ୍ବାଇ: ୩ ବର୍ଷ ହେଲାଣି କାୟା ମେଲାଇ ଚାଲିଛି ମ୍ୟାଲେରିଆ ରୋଗ । ବର୍ଷକୁ ୬୦ହଜାର ଟପିଲାଣି ରୋଗୀଙ୍କ ସଂଖ୍ୟା । ସଚେତନତା ଚାଲିଛି, ଔଷଧ ମଶାରି ବଣ୍ଟନ ହେଉଛି । ତଥାପି ବିସ୍ତାରିତ ହୋଇ ଚାଲିଛି ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳ । ଯାହା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଲାଣି । ତଥ୍ୟ ଅନୁସାରେ, ୨୦୧୬ରେ ୪ଲକ୍ଷ ୪୪ହଜାର ୮୪୨ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିଲେ । ୨୦୧୭ରେ ୩ଲକ୍ଷ ୪୭ହଜାର ୮୬୦ ପଜିଟିଭ ଚିହ୍ନଟ ହେଲେ । ବିଶେଷ ଭାବେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ବୌଦ୍ଧ, ବଲାଙ୍ଗିର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଅଧିକ ରୋଗୀ ବାହାରୁଥିଲେ ।
ସେହିପରି ୨୦୧୬-୧୭ରେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ(ଦମନ୍) ମ୍ୟାଲେରିଆକୁ ପ୍ରତିହତ କରିବାରେ ବଡ଼ ଭୂମିକା ନେଇଥିଲା । ଯାହା ଫଳରେ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ଖସିଥିଲା । ୨୦୧୮ରେ ମୋଟ ୬୬,୩୧୧ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୧୯ରେ ୩୯,୫୫୬, ୨୦୨୦ରେ ୪୧,୭୩୯, ୨୦୨୧ରେ ୨୫,୫୨୫, ୨୦୨୨ରେ ୨୩,୭୭୦ଜଣ ରୋଗୀ ଚିହ୍ନଟ ହୋଇଥିଲେ । ହେଲେ ଏହା ପରବର୍ଷଠୁ ରୋଗୀ ସଂଖ୍ୟା ପୁଣି ବଢ଼ିଚାଲୁଛି । ୨୦୨୪-୨୫ରେ ୫୫.୫ଲକ୍ଷ ମଶାରି ବଣ୍ଟାଯାଇଥିଲା । ନିକଟରେ ଦମନ ବାବଦ ଟଙ୍କା ଖର୍ଚ୍ଚ ହେଉନଥିବା ନେଇ ୨୧ଟି ଜିଲ୍ଲାକୁ ଚିଠି ଲେଖିଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ତେଣୁ ଜିଲ୍ଲାସ୍ତରରେ ଦମନ ଯୋଜନାକୁ ନିୟମିତ ସମୀକ୍ଷା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।










