27.6 C
Bhubaneswar
Saturday, April 18, 2026
Homeଓଡିଶାମହିଳା ସଂରକ୍ଷଣ ପାଇଁ ବିଜେପି କୁମ୍ଭୀର କାନ୍ଦଣା ବନ୍ଦ କରୁ; ଲୋକେ ଜାଣନ୍ତି, ମହିଳାଙ୍କ ପାଇଁ...

ମହିଳା ସଂରକ୍ଷଣ ପାଇଁ ବିଜେପି କୁମ୍ଭୀର କାନ୍ଦଣା ବନ୍ଦ କରୁ; ଲୋକେ ଜାଣନ୍ତି, ମହିଳାଙ୍କ ପାଇଁ ସଂରକ୍ଷଣରେ କଂଗ୍ରେସର ଅବଦାନ କ’ଣ

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ଆଢୁଆଳରେ ନାମରେ କେନ୍ଦ୍ର ବିଜେପି ସରକାର କିଭଳି ନାଗରିକଙ୍କ ସହିତ ପ୍ରବଞ୍ଚନା କରୁଛି ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ମହିଳା ସଂରକ୍ଷଣ ନାମରେ ବିଜେପି ସରକାରର ପ୍ରବଞ୍ଚନାପୂର୍ଣ୍ଣ କରସାଦି ଗୁଡ଼ିକୁ ଉଜାଗର କରିଥିଲେ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ମହିଳା ସଂରକ୍ଷଣ ବିଲ୍‌କୁ ନେଇ କିଭଳି ବିଜେପି ଦେଶବାସୀଙ୍କ ସହ ଧୋକାବାଜି କରୁଛି ତାହାର ସଂପୂର୍ଣ୍ଣ ତଥ୍ୟ ଦେବା ସହ ବିଜେପି ସରକାରକୁ ଗୁଡାଇ ତୁଡାଇ ଗଣମାଧ୍ୟମଙ୍କ ସମ୍ମୁଖରେ ଅନେକ ପ୍ରଶ୍ନ ପଚାରିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ, ଯଦି ୨୦୧୧ ଜନଗଣନା ଅନୁସାରେ ମହିଳା ସଂରକ୍ଷଣ କରିବାର ଥିଲା, ‘ନାରୀଶକ୍ତି ବନ୍ଦନ ଅଧିନୟମ’ ଯାହା ସେପ୍ଟମ୍ବର ୨୦୨୩ରା ପାରିତ ହୋଇଥିଲା, ସେହି ଅନୁସାରେ ୨୦୨୪ ମସିହାରେ କାର‌୍ୟ୍ୟକାରୀ କରାଗଲାନି କାହିଁକି? ଏଣେ ମହିଳା ସଂରକ୍ଷଣ କଥା କହୁଛନ୍ତି, ତେଣେ ନିଜ ମର୍ଜି ଅନୁସାରେ ଡିଲିମିଟେସନ କରାଇନେଇ ସବୁଦିନ କ୍ଷମତାରେ ରହିବାର ଅଭିସନ୍ଧି କରୁଛନ୍ତି। ବିମୁଦ୍ରୀକରଣ ପରି ତରତରରେ ଏହା କରାଇନେବାର ଅଭିପ୍ରାୟ କ’ଣ? ତିନିବର୍ଷ ମହିଳା ସଂରକ୍ଷଣ ଆଇନ୍‌କୁ କାର‌୍ୟ୍ୟକାରୀ କଲେନାହିଁ। ତେବେ ଶୁକ୍ରବାର ସଂସଦରେ ବିତର୍କ ଓ ଭୋଟିଂ ରଖି ଗୁରୁବାର ବିଳମ୍ବିତ ରାତିରେ ଗେଜଟ୍ ନୋଟିଫିକେସନ୍ ପ୍ରକାଶ କରିବାର କାରଣ କ’ଣ? ଆପଣ କ’ଣ ଜାଣି ନ ଥିଲେ, ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ଆାଇନ ପାରିତ ହେବାକୁ ହେଲେ ଦୁଇତୃତୀୟାଂଶ ସଦସ୍ୟଙ୍କର ସମର୍ଥନ ଲୋଡ଼ା? ଆପଣଙ୍କ ପାଖରେ ଏଥିପାଇଁ ଆବଶ୍ୟକ ସଂଖ୍ୟା ଥିଲା କି? ଯଦି ନ ଥିଲା, ଯଦି କୌଣସି ଖରାପ ଉଦ୍ଦେଶ୍ୟ ନ ଥିଲା, ବିରୋଧୀ ଦଳଗୁଡ଼ିକୁ ଆସ୍ଥାକୁ ନ ନେଇ, ସର୍ବଦଳୀୟ ବୈଠକ ନ ଡାକି, ତରତର ହୋଇ ବିଲ୍ ଆଣିବାର କ’ଣ ଉଦ୍ଦେଶ୍ୟ ଥିଲା? ମହିଳା ସଂରକ୍ଷଣକୁ ଡିଲିମିଟେସନ ସହିତ ଯୋଡ଼ୁଛନ୍ତି କାହିଁକି? ଜାତି ଜନଗଣନା ସମ୍ବନ୍ଧୀୟ କୌଣସି ସ୍ପଷ୍ଟତା ସରକାର ଏଥରର ବିଲ୍‌ରେ ରଖିଛନ୍ତି କି? ଏ ନେଇ ମୋଦୀ-ଶାହ କିଛି ବି ସ୍ପଷ୍ଟ କରିଛନ୍ତି କି?

ପ୍ରଧାନମନ୍ତ୍ରୀ ବାରମ୍ବାର ଶ୍ରେୟ କଥା ଉଠାଉଛନ୍ତି କାହିଁକି? କିଏ ଶ୍ରେୟ ନେବ ନ ନେବ, ତାକୁ ନେଇ ସେ ଏତେ ହିସାବ କିତାବ କରୁଛନ୍ତି କାହିଁକି? ମନୁବାଦୀ ବିଜେପିର ମହିଳା-ବିରୋଧୀ ଦଳ ଭାବେ ରହିଥିବା ଛବିକୁ ପୋଛିବାକୁ ମୋଦୀ-ଶାହାଙ୍କର ଏଇଟା ଏକ ବାହାନା ବୋଲି ଲୋକେ ଜାଣିପାରିବେନି ବୋଲି ସେମାନେ ଭାବୁଛନ୍ତି କିପରି? ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଏତେ ଖୋଲାଖୋଲି ଦଳିମକଚି ନଷ୍ଟ କରିବାର ସାହସ ସେମାନେ କରୁଛନ୍ତି କିପରି? ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ, ଭୋଟିଂ ଆହୁରି ବାକି ଥିବାବେଳେ ମହିଳାମାନଙ୍କୁ ପ୍ରଲୋଭିତ କରିବାକୁ ଏତେ ଖୋଲାଉଦ୍ୟମ କରୁଛନ୍ତି କିପରି? ନିର୍ବାଚନ କମିଶନ ନିରବ ରହିଛନ୍ତି କିପରି? ଏପ୍ରିଲ ୨୯ ପରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଥିଲେ କ’ଣ ମହାଭାରତ ଅଶୁଦ୍ଧ ହୋଇଯାଇଥା’ନ୍ତା? ଆସନ୍ତା ମୌସୁମୀ ଅଧିବେଶନ ଯାଏ ଅପେକ୍ଷା କରିଯାଇଥିଲେ କ’ଣ ଆାକାଶ ଖସିପଡ଼ିଥା’ନ୍ତା? ଆପଣମାନ ପରା ସଂସଦରେ ପାସ୍ ହୋଇଥିବା ମହିଳା ସଂରକ୍ଷଣ ଆଇନ୍କୁ କାର‌୍ୟ୍ୟକାରୀ ନ କରି ତିନିବର୍ଷ ପକାଇ ରଖିଲେ? ଆଉ ଦିନ କେଇଟା ଅପେକ୍ଷା କରିଥିଲେ କ’ଣଟା ଅସୁବିଧା ହୋଇଥା’ନ୍ତା? ସତ୍ୟକୁ ଅସ୍ବୀକାର କରିବାକୁ ବିଜେପି ଏତେ କୁଣ୍ଠିତ କାହିଁକି? ମହିଳା ସଂରକ୍ଷଣକୁ ନେଇ ଘଟଣାକ୍ରମକୁ ବୁଝନ୍ତୁ; କଂଗ୍ରେସ ଦଳପ୍ରତି ମୋଦୀ-ଶାହାଙ୍କର ବି ମୁଣ୍ଡ ସମ୍ମାନରେ ତଳକୁ ନଇଁଯିବ।

୧୯୮୯ରେ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ରାଜୀବ ଗାନ୍ଧି କରାଇଥିଲେ। ଆଜି ଯଦି ସାରା ଦେଶରେ ୧୫ ଲକ୍ଷ ସ୍ଥାନୀୟ ପ୍ରତିନିଧି ଅଛନ୍ତି, ତା’ର ଶ୍ରେୟ ରାଜୀବ ଗାନ୍ଧି ଓ କଂଗ୍ରେସକୁ ଦେବାକୁ ହେବ। ୧୯୮୯ ସେପ୍ଟେମ୍ବରରେ ରାଜୀବ ଗାନ୍ଧି ସଂସଦ ଓ ବିଧାନସଭାରେ ମଧ୍ୟ ୩୩% ମହିଳା ସଂରକ୍ଷଣ କରାଇନେଇଥା’ନ୍ତେ, ଯଦି ରାଜ୍ୟସଭାରେ ମାତ୍ର ୭ଟି ଭୋଟ ପାଇଁ ତାହା କାଟ୍ ଖାଇ ନ ଥା’ନ୍ତା।
ବିଜୁବାବୁ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ିଦେଇଥିଲେ ବି ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ୩୩% ପ୍ରତିନିଧିତ୍ବର ଶ୍ରେୟ ଆମେ ତାଙ୍କୁ ଦେବାରେ କାର୍ବଣ୍ୟ କରୁନା। ଆପଣମାନେ କାହିଁକି କଂଗ୍ରେସକୁ ଶ୍ରେୟ ଦେବାରେ ଏତେ କୁଣ୍ଠିତ? ୧୯୯୨ରେ ୭୩ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ନରସିଂହ ରାଓଙ୍କ କଂଗ୍ରେସ ନେତୃତ୍ବାଧୀନ ସରକାର ପଂଚାୟତ ଓ ସହରାଂଚଳ ପ୍ରତିନିଧିତ୍ବରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଭିତରେ ପୁଣି ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ କରିଥିଲେ। ଏ କଥା ବିଜେପି ଭୁଲିଯାଉଛି କିପରି? ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ନିମନ୍ତେ ୨୦୧୦ରେ ଡ.ମନମୋହନ ସିଂହ ରାଜ୍ୟସଭାରେ ୧୦୮ତମ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରାଇଥିବା ବିଜେପି ଭୁଲିଯାଉଛି କିପରି?ମହିଳା ସଂରକ୍ଷଣକୁ ନେଇ କଂଗ୍ରେସର ପଦକ୍ଷେପଗୁଡ଼ିକର ଐତିହାସିକ ଘଟଣାକ୍ରମର ପୃଷ୍ଠଭୂମି ଉପରେ ହିଁ ୨୦୨୩ରେ ସର୍ବସମ୍ମତ କ୍ରମେ ଏହା ଗୃହୀତ ହୋଇଥିଲା।ତେଣୁକରି ସଂସଦରେ ବିତର୍କରେ ଭାଗ ନେଇ ଶ୍ରୀ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଯାହା କହିଛନ୍ତି ତାହା ଯଥାର୍ଥ ବୋଲି ଶ୍ରୀ ଦାସ ଦୃଢତାର ସହିତ କହିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି ମହିଳା ସଂରକ୍ଷଣ ବିଲ ଉପରେ ନିଜର ବଳିଷ୍ଠ ଆଭିମୁଖ୍ୟ ପ୍ରକାଶ କରିଥିଲେ ସାଥିରେ କଂଗ୍ରେସ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking