ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରା ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ହତ୍ୟାର ଶିକାର ବ୍ୟକ୍ତି ହେଲେ କେ. ଭଗବାନ ରେଡ୍ଡୀ। ଏହି ମାମଲାରେ ଅଭିଯୁକ୍ତ ତଥା ସାହିର କେ. ଲିଙ୍ଗା ରେଡ୍ଡୀ ଓ ତାଙ୍କ ପତ୍ନୀ କେ. ଲକ୍ଷ୍ମୀ ରେଡ୍ଡୀଙ୍କୁ ପୁଲିସ ଗିରଫ କରିଛି। ବ୍ରହ୍ମପୁର ଏସପି ଡ଼ା ସର୍ବନା ବିବେକ ଏମ୍ ଦେଇଥିବା ସୂଚନା ଅନୁସାରେ, ରେଡିକା ସାହିର କେ. ଲିଙ୍ଗା ରେଡ୍ଡୀ ନିଜ ପତ୍ନୀ କେ. ଲକ୍ଷ୍ମୀ ରେଡ୍ଡୀ, ବୃଦ୍ଧା ମା’ ପାରୁ ରେଡ୍ଡୀ ଓ ତିନି ଝିଅଙ୍କ ସହ ରହୁଥିଲେ। ତେବେ ଲିଙ୍ଗା ରେଡ୍ଡୀ ଓ ତାଙ୍କ ପତ୍ନୀ ବୃଦ୍ଧା ମା’ଙ୍କୁ ଖରାପ ବ୍ୟବହାର କରିବା ସହ ଅବହେଳା କରୁଥିବା ନେଇ ପଡ଼ୋଶୀ କେ. ଭଗବାନ ରେଡ୍ଡୀ ଓ ତାଙ୍କ ପତ୍ନୀ ଜ୍ୟୋତି ରେଡ୍ଡୀ ବିରୋଧ କରି ଆସୁଥିଲେ। ଏପରିକି ବୃଦ୍ଧାଙ୍କୁ ନିର୍ୟାତନା ଦିଆଯାଉଥିବା ଭିଡିଓ ଓ ଫଟୋ ଉତ୍ତୋଳନ କରି ଭଗବାନ ଦୂରରେ ରହୁଥିବା ପାରୁ ରେଡ୍ଡୀଙ୍କ ଅନ୍ୟ ଜଣେ ଝିଅଙ୍କୁ ପଠାଇଥିଲେ। ଏହାକୁ କେନ୍ଦ୍ର କରି ଗତକାଲି ମଧ୍ୟରାତ୍ରିରେ ଉଭୟ ପରିବାର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ପରେ ହିଂସାର ରୂପ ନେଇଥିଲା। ଲିଙ୍ଗା ରେଡ୍ଡୀ ଏକ ଛୁରା ସାହାଯ୍ୟରେ ଭଗବାନ ରେଡ୍ଡୀଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭଗବାନଙ୍କୁ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ବଡ଼ବଜାର ଥାନାରେ ଏକ ମାମଲା ରୁଜୁ ହୋଇଛି।’










