ଭୁବନେଶ୍ୱର: ରାଜ୍ୟର ଇସ୍ପାତ କମ୍ପାନିଗୁଡ଼ିକୁ ନେଇ ନୂତନ ଭାବେ ଗଠିତ ଶିଳ୍ପ ସଂଘ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସପିଏ)ର ସଭାପତି ଭାବେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶ୍ରୀ ଅସିତ ତ୍ରିପାଠୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ ଶିଳ୍ପ ବିକାଶ କ୍ଷେତ୍ରରେରେ ଅନେକ ଦଶନ୍ଧିର ଅଭିଜ୍ଞତା ସହ ଶ୍ରୀ ତ୍ରିପାଠୀ ବର୍ତ୍ତମାନ ଜିନ୍ଦଲ ଷ୍ଟିଲର ଆଡଭାଇଜର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ମନୋନୟନ ସରକାର ଓ ଶିଳ୍ପ ଜଗତ ମଧ୍ୟରେ ଏକ ଉତ୍ତମ ସହବନ୍ଧନ ସହ ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କ୍ଷେତ୍ର ଭାବେ ଓଡି଼ଶାର ସ୍ଥିତିକୁ ମଜଭୁତ କରିବ। ଶ୍ରୀ ତ୍ରିପାଠୀଙ୍କ ମନୋନୟନକୁ ଓଏସପିଏର ସଦସ୍ୟମାନେ ସ୍ୱାଗତ କରିବା ସହ ତାଙ୍କ ନେତୃତ୍ୱ ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, “ଭାରତୀୟ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ଭୂମିକା ରହିଛି। ଇସ୍ପାତ ଶିଳ୍ପ ତଥା ରାଜ୍ୟର ଦୀର୍ଘ ମିଆଦି ବିକାଶ ଲକ୍ଷ୍ୟ ହାସଲ ପାଇଁ ଓଏସପିଏ ଏକ ମଜଭୁତ ଓ ଗଠନମୂଳକ ସ୍ୱର ହେବ । ରାଜ୍ୟର ସାମଗ୍ରିକ ଶିଳ୍ପ ବିକାଶ ପାଇଁ ଆମେ ଏକ ଦାୟିତ୍ୱସମ୍ପନ୍ନ ଅନୁଷ୍ଠାନ ଭାବେ ସରକାର ଓ ଅଂଶଧାରକଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବୁ।” ଏହା ସହିତ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଶ୍ରୀ ଏସ.କେ ପୋପଲି ମହାସଚିବ ଭାବେ ମନୋନୀତ ହୋଇଛନ୍ତି। ପ୍ରଶାସନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ତୁଲାଇବା ସହ ପରିବେଶ ପରିଚାଳନା, ନୀତି ନିର୍ଦ୍ଧାରଣ, ଓ ଚିରନ୍ତନ ବିକାଶ କାର୍ଯ୍ୟକ୍ରମ ପ୍ରଣୟନରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଜିନ୍ଦଲ ଷ୍ଟିଲ, ଜେଏସଡବ୍ଲୁ, ଜିନ୍ଦଲ ଷ୍ଟେନଲେସ, ଏଏମଏନଏସ, ରୁଙ୍ଗଟା ମାଇନ୍ସ, ନର୍ଭେରାମ ଷ୍ଟିଲ, ଏମଏଜିଏମ ଷ୍ଟିଲ, ଆରତୀ ଷ୍ଟିଲ ଏବଂ ଏସାର ଷ୍ଟିଲ ଭଳି ରାଜ୍ୟର ପ୍ରମୁଖ ୧୫ ଇସ୍ପାତ କମ୍ପାନିର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ। ଖୁବ ଶୀଘ୍ର ଶୀର୍ଷ କମିଟି ଓ ଉପ କମିଟି ପାଇଁ ସେମାନଙ୍କ ପ୍ରତିନିଧି ମନୋନନୟନ ପାଇଁ ସଦସ୍ୟ କମ୍ପାନିଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ପାରସ୍ପରିକ ସହବନ୍ଧନ, ତଥ୍ୟ ଆଦାନପ୍ରଦାନ ଏବଂ ନୀତି ନିର୍ଦ୍ଧାରକ ଓ ଅଂଶଧାରକଙ୍କ ସହ ଗଠନମୂଳକ ଆଲୋଚନା ମାଧ୍ୟମରେ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସପିଏ) ଇସ୍ପାତ ଶିଳ୍ପ ପାଇଁ ଏକ ସମନ୍ୱିତ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ।










