ବଲାଙ୍ଗୀର: ବଲାଙ୍ଗୀର ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଇଁଲାସାରି ଗାଁରେ ଅଭାବନୀୟ ଘଟଣା । ଗୁରୁବାର ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ବଙ୍ଗାଳୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଙ୍ଗାଳୀ ଶ୍ରମିକ ଏକ କଂପାନୀରେ ଠିକାଦାରଙ୍କ ପାଖରେ ରହି କାମ କରୁଥିବା ଜଣାଯାଇଛି । ଶ୍ରମିକ ଜଣକ ସଂଜୟ ଦାସ (୪୫)ପଶ୍ଚିମବଂଗ ଅଂଚଳର ବୋଲି କୁହାଯାଉଛି ।ସୂଚନା ଅନୁସାରେ, ଶ୍ରମିକମାନେ କାମ ସାରି ଖାଇବାକୁ ଆସିଥିବାବେଳେ ଜଣେ ଶ୍ରମିକ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । ଖାଇବା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇ କ୍ୟାମ୍ପକୁ ଫେରିବାରେ ବିଳମ୍ୱ ହେବାରୁ ଅନ୍ୟ ଜଣେ ଶ୍ରମିକ ତାଙ୍କ ଭିଣୋଇଙ୍କୁ ଖୋଜିବା ପାଇଁ ପୋଖରୀ ନିକଟକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ପାଇନଥିଲେ ହେଁ ଚପଲ ମିଳିଥିଲା । ସନ୍ଦେହରେ ପାଣି ଭିତରକୁ ଯାଇ ଦେଖିଲା ବେଳକୁ ପାଣିରେ ମୃତଦେହ ଭାସୁଥିଲା ।ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅଣଓଡିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପୁଇନ୍ତଲା ପୋଲିସ ତଦନ୍ତ ଆରମ୍ଭ କରିଛି ।










