ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ବିଳମ୍ବିତ ରାତ୍ରିରେ ଚୋରି ହୋଉଥିବାର ଅଭିଯୋଗ । ଭୋର ସମୟରେ ଆଜି ମାଙ୍କ ପୂଜକ ପୂଜା କରିବାକୁ ଆସିଥିବା ସମୟରେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର ଦେଖିବା ପରେ ଚୋରି ହୋଇଥିବାର ଜାଣିବାକୁ ପାଇଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଓ ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ।ତେବେ ମାଙ୍କର କଣ କଣ ସୁନା, ଗହଣା ଓ ଟଙ୍କା ପଇସା ଚୋରି ହୋଇଛି , ତାହା ଜଣା ପଡ଼ି ନଥିବା ବେଳେ, ଭଦ୍ରକ ଏସପି ଙ୍କ ନିର୍ଦେଶରେ ସାଇଣ୍ଟିଫିକ ଟିମ, ଡକ୍ସ ସ୍ୱାର୍ଡ ପହଞ୍ଚି ଘଟଣାର ଛାନଭିନ୍ନ ଆରମ୍ଭ କରିଛି । ଅନ୍ୟପଟେ ମାଙ୍କ ମନ୍ଦିରରେ ବାରମ୍ବାର ଏହିପରି ଘଟଣା ଘଟୁଥିବା ବେଳେ ସେବାୟତ ମାନେ ଜିଲ୍ଲା ପ୍ରଶାସନଙ୍କୁ ଆବଶ୍ୟକ ସିସିଟିଭି ଲଗାଇବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରି ନଥିଲେ । ସେଥିପାଇଁ ସେବାୟତଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।









