27.1 C
Bhubaneswar
Wednesday, April 1, 2026
Homeଓଡିଶାଆଗାମୀ ଭବିଷ୍ୟତ ପାଇଁ ରୋଡମ୍ୟାପ ଦେଇଥାଏ ବ୍ୟୟ ମଞ୍ଜୁରୀ ବିଲ୍ : ମୁଖ୍ୟମନ୍ତ୍ରୀ

ଆଗାମୀ ଭବିଷ୍ୟତ ପାଇଁ ରୋଡମ୍ୟାପ ଦେଇଥାଏ ବ୍ୟୟ ମଞ୍ଜୁରୀ ବିଲ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଏହି ବ୍ୟୟ ମଞ୍ଜୁରୀ ବିଧେୟକ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଶାସନ-ପ୍ରଶାସନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଧେୟକ ହେଉଛି ବ୍ୟୟ ମଞ୍ଜୁରୀ ବିଲ। ଏହି ବିଲ କେବଳ ଆଗାମୀ ଗୋଟିଏ ବର୍ଷ ପାଇଁ ନୁହେଁ, ଆଗାମୀ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ପ୍ରଦାନ କରିଥାଏ। ଏହି ବ୍ୟୟ ମଞ୍ଜୁରୀ ବିଲ୍ରେ ସାଢେ ଚାରି କୋଟି ଓଡିଶାବାସୀଙ୍କ ଭବିଷ୍ୟତ ଯୋଡି ହୋଇ ରହିଛି। କିନ୍ତୁ କ୍ଷୋଭର ବିଷୟ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଯେପରି ଆଲୋଚନା କରାଯିବା କଥା ତାହା ହୋଇ ନାହିଁ । ବିରୋଧୀଦଳ ଅନୁପସ୍ଥିତ ରହିଲେ। ଏହା ଉପରେ ବିରୋଧୀ ଦଳ ଆତ୍ମସମୀକ୍ଷା କରିବା ଉଚିତ।

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ କରିବାର ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଭିତ୍ତିଭୂମି ବିକାଶ, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ଉନ୍ନୟନ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ା ଭଳି କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରହିଛି। ଦେଶର ଜିଡିପି ରେ ରାଜ୍ୟର ଅବଦାନକୁ ୩ ପ୍ରତିଶତ ରୁ ୫ ପ୍ରତିଶତ କୁ ବୃଦ୍ଧି କରିବା ସହ ହାରାହାରି ବାର୍ଷିକ ଅଭିବୃଦ୍ଧି ହାରକୁ ୭ ପ୍ରତିଶତ ରୁ ୯.୫ ପ୍ରତିଶତ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁ ସମୟରେ ଅନେକ ରାଜ୍ୟ ଉଚ୍ଚ ଋଣ ଭାର ଏବଂ ଅତ୍ୟଧିକ ସୁଧ ଦେୟକୁ ନେଇ ସଂଘର୍ଷ କରୁଛନ୍ତି, ଓଡ଼ିଶା ନିରନ୍ତର ଭାବେ ବିକାଶ ପଥରେ ଅଗ୍ରସର ହୋଇଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶାର ବିତ୍ତୀୟ ପରିଚାଳନା ଦେଶ ବିଦେଶରେ ପ୍ରଶଂସିତ ହେବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଜ୍ଵଳନ୍ତ ଉଦାହରଣ ହୋଇଛି । ନୀତି ଆୟୋଗଙ୍କ ଆର୍ଥିକ ସ୍ୱାସ୍ଥ୍ୟ ସୂଚକାଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଶୃଙ୍ଖଳିତ ରାଜ୍ୟ ଭାବେ ପରିଗଣିତ ହୋଇଛି ।

ମୁଖ୍ୟ ବିରୋଧୀ ଦଳ ଏବଂ କଂଗ୍ରେସ ଏବେ ଦୁଇ ଭାଇ ପରି କାନ୍ଧକୁ କାନ୍ଧ ମିଶେଇ ସରକାରଙ୍କୁ ବିରୋଧ କରୁଛନ୍ତି। ଏହା ମୋତେ ବହୁତ ସନ୍ତୋଷ ଦେଉଛି। ବିଧାନ ସଭା ଭିତରେ ତଥା ବିଧାନସଭା ବାହାରେ ସରକାରଙ୍କ ବିରୁଦ୍ଧରେ ସମାଲୋଚନା ପାଇଁ ଏକାଠି ହେବା ସୁସ୍ଥ ଗଣତନ୍ତ୍ର ପାଇଁ ଏକ ଶୁଭ ସୂଚନା। କିନ୍ତୁ ଉଭୟ ଦଳ ଏକାଠି ହୋଇ ବିଧାନସଭା ମଧ୍ୟରେ ସବୁ ସମସ୍ୟାର ଆଲୋଚନାରେ ଭାଗ ନିଅନ୍ତୁ । ଲୋକଙ୍କ ସ୍ଵାର୍ଥ ସାଧିତ ହେଉ ବୋଲି ଦୁଇ ବିରୋଧୀ ଦଳକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ମଧ୍ୟପ୍ରାଚ୍ୟ ଗତ ଏକ ମାସ ହେଲା ଏକ ଯୁଦ୍ଧ ବିଭୀଷିକା ମଧ୍ୟରେ ଗତି କରୁଛି ଯାହାର ସିଧା ସଳଖ ପ୍ରଭାବ ସମଗ୍ର ବିଶ୍ଵ ଉପରେ ପଡୁଛି। ରାଜ୍ୟରେ ଦରଦାମ୍ ନିୟନ୍ତ୍ରଣରେ ଅଛି, ଗ୍ୟାସ୍ ଗଚ୍ଛିତ ଅଛି। ଏଭଳି ପରିସ୍ଥିତିରେ କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯାଇ ଚଢ଼ାଉ କରାଯାଉଛି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking