କାଠମାଣ୍ଡୁ : ନେପାଳ ପୁଲିିସ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ତାଙ୍କର ଭକ୍ତପୁରସ୍ଥିତ ବାସଭବନରୁ ଗିରଫ କରିଛି। ଏଥିସହିତ ଓଲିଙ୍କ କ୍ୟାବିନେଟରେ ଗୃହ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ରମେଶ ଲେକ୍ହାକ୍ ମଧ୍ୟ ଗିରଫ ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ଜେନ୍ ଜେଡ୍ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୭୭ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଥିଲେ। ପୁଲିସର ଏଭଳି ବର୍ବରୋଚିତ କାର୍ଯ୍ୟ ନିମନ୍ତେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟକୁ ଆଧାର କରି ଓଲି ଓ ରମେଶଙ୍କୁ ଗିରଫ କରାଯାଇଛି।
ସେମାନଙ୍କ ବିରୋଧରେ ଉଦ୍ଦେଶ୍ୟ ବିହୀନ ହତ୍ୟା ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶୁକ୍ରବାର ଶପଥ ଗ୍ରହଣ କରିବା ପରେ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟରେ ନେପାଳ ପୁଲିସର ଏକାଧିକ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରାଯାଇଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତତ୍କାଳୀନ ସରକାର ଦେଶରେ ଇଣ୍ଟରନେଟ ବ୍ୟାନ୍ କରିବା ଏବଂ ଏକାଧିକ ଦୁର୍ନୀତିରେ ଲିପ୍ତ ଥିବାରୁ ଜେନ୍ ଜେଡ୍ ବିକ୍ଷୋଭର ସୂତ୍ରପାତ ହୋଇଥିଲା। ଫଳରେ ଓଲିଙ୍କୁ ସେତେବେଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେବାକୁ ପଡିଥିଲା।










