ଭୁବନେଶ୍ୱର: ନିଶାମୁକ୍ତ ଓଡ଼ିଶା ସଂକଳ୍ପ ଘୋଷଣା କରି ବିଜେପି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ସହ ୨୦୨୯ ସୁଦ୍ଧା ଏହା ପାଳନ କରାଯିବ ବୋଲି ୨୦୨୪ର ସାଧାରଣ ନିର୍ବାଚନ ସମୟରେ ଓଡ଼ିଶା ପାଇଁ ଥିବା ରାଜ୍ୟ ବିଜେପିର ମୋଦିଙ୍କ ଗ୍ୟାରେଣ୍ଟି ପତ୍ରରେ ଯାହା ଘୋଷଣା କରାଯାଇଥିଲା ତାହାର ବିପରୀତ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କ୍ଷୋଭର ସହ କୁହାଯାଇଛି। ରାଜ୍ୟ ସରକାରଙ୍କ ସଦ୍ୟ ଘୋଷିତ ଅବକାରୀ ନୀତି ଓଡ଼ିଶାରେ ନିଶାର ପ୍ରସାର ସହିତ ଅବକାରୀ ରାଜସ୍ୱ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯାନର ଅନ୍ୟତମ ଉପଦେଷ୍ଟା ପ୍ରହଲ୍ଲାଦ କୁମାର ସିଂହ ଉଲ୍ଲେଖ କରିଛନ୍ତି। ବିଜେପିର ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତାମାନେ ବାରମ୍ବାର ଗୁଜରାଟ ମଡେଲ୍ ବିକାଶ କଥା କହୁଥିବାବେଳେ ଗୁଜରାଟ ପରି ନିଶା ନିବାରଣ କାର୍ଯ୍ୟକ୍ରମକୁ କିନ୍ତୁ ଓଡ଼ିଶାରେ ଗ୍ରହଣ କରାଯିବା ପରିବର୍ତ୍ତେ ନିଶା ପ୍ରସାରଣ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଉଭୟ ସରକାରୀ ଲାଇସେନ୍ସପ୍ରାପ୍ତ ଓ ଚୋରା ବଜାରରେ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ନିଶା ସାମଗ୍ରୀ ମଣିଷ ଶରୀର ସହିତ ପରିବାର, ସମାଜ, ରାଜ୍ୟ ଓ ରାଷ୍ଟ୍ର ପାଇଁ କ୍ଷତିକାରକ। ନୂଆ ଅବକାରୀ ନୀତିରେ ନିଶା କ୍ଷତିକାରକ ବୋଲି ସରକାର ସ୍ୱୀକାର କରୁଥିବାବେଳେ ଏହାକୁ ସାଧାରଣ ଲୋକଙ୍କ ନିକଟରେ ଉପଲବ୍ଧ କରିବା ଲାଗି ଯେଭଳି ବ୍ୟବସ୍ଥା କରୁଛନ୍ତି ତାହା ରାଜ୍ୟରେ ରୋଗ, ଦାରିଦ୍ର୍ୟ, ଅପରାଧ, ଦୁର୍ଘଟଣା, ଅପମୃତ୍ୟୁ, ନାରୀ ନିର୍ଯାତନା, ଶିଶୁ ନିର୍ଯାତନା ଆଦି ବୃଦ୍ଧିର ଅନ୍ୟତମ କାରଣ।
ବିଜେଡି ସରକାର ସମୟରେ ନିଶା ପ୍ରସାରଣ ନୀତି ଆପଣାଯିବା ଫଳରେ ୨୪ବର୍ଷରେ ରାଜ୍ୟର ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ଟଙ୍କାରୁ ବଢ଼ି ୭ ହଜାର କୋଟିରୁ ଅଧିକ ହୋଇଥିଲା। ଏହି ଧାରାରେ ବର୍ତ୍ତମାନର ବିଜେପି ସରକାର ଚାଲୁଥିବାରୁ ଅବକାରୀ ରାଜସ୍ୱ ବଢ଼ିବା ସହିତ ନିଶାର ପ୍ରସାର ମଧ୍ୟ ଗାଁରୁ ସହର ପର୍ଯ୍ୟନ୍ତ ଉଦ୍ବେଗଜନକ ଭାବେ ବଢ଼ି ଚାଲୁଛି। ବିଶେଷକରି ସୁଭଦ୍ରା ସମେତ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଅର୍ଥ ବ୍ୟୟ କରୁଛନ୍ତି ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ଓ ମହିଳା କଲ୍ୟାଣ, ଶ୍ରମଜୀବୀଙ୍କ ବିକାଶ, ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବା ଆଦି ପାଇଁ ଯେତେ ଯୋଜନା ପ୍ରଣୀତ ହେଉଛି ସେଥିରୁ ଆଶାନୁରୂପ ଫଳ ନମିଳିବା ପଛର ଅନ୍ୟତମ କାରଣ ହେଉଛି ନିଶା ପ୍ରସାରଣ।
ପୂର୍ବ ଅବକାରୀ ନୀତି ଓ ବର୍ତ୍ତମାନର ଅବକାରୀ ନୀତି ମଧ୍ୟରେ ତଫାତ ହେଉଛି ପୁରୁଣା ବୋତଲର ମଦକୁ ନୂଆ ଟେଟ୍ରା ପ୍ୟାକ୍ରେ ସାଧାରଣ ଲୋକଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା। ମଦ ଓ ଅନ୍ୟାନ୍ୟ ନିଶା ପାଇଁ ମାତାଲ ପୁଅର ପିତୃ-ମାତୃ ହତ୍ୟା, ମଦୁଆ ବାପାର ଝିଅ ପ୍ରତି ବଳାତ୍କାର ଭଳି ଅନେକ ଅଭାବନୀୟ ଘଟଣା ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏମିତିକି କେତେକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ଓ ଚୋରା ମଦ ବିକ୍ରି ହେଉଥିବା ଖୋଦ୍ ସରକାର ଧରୁଛନ୍ତି। କେବଳ ସେତିକି ନୁହେଁ, ଦୁର୍ବଳ ବ୍ୟବସ୍ଥା ଯୋଗୁ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି। ଯଦି ବିଜେପି ଶାସିତ ଗୁଜରାଟ ଓ ବିହାର ଭଳି ରାଜ୍ୟରେ ନିଶା ନିବାରଣ ହୋଇପାରୁଛି ତେବେ ବର୍ତ୍ତମାନର ଓଡ଼ିଶା ସରକାର ଗତ ନିର୍ବାଚନ ସମୟରେ ତାଙ୍କ ସଂକଳ୍ପ ପତ୍ରର ୩୮ ପୃଷ୍ଠାରେ ନିଶାମୁକ୍ତ ଓଡ଼ିଶା ସୃଷ୍ଟି କରିବା ଓ ସମ୍ବିଧାନର ୪୭ ଧାରାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଲାଗି ଯେଉଁ ଘୋଷଣା କରିଛନ୍ତି ତାହା ଅବକାରୀ ନୀତିରେ ପ୍ରତିଫଳିତ ହେଉନଥିବାରୁ ୨୦୨୯ ସୁଦ୍ଧା ଓଡ଼ିଶା କିପରି ନିଶାମୁକ୍ତ ହେବ ବୋଲି ପ୍ରଶ୍ନ ଉଠୁଛି।










