ଗଞ୍ଜାମ: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ଘର ଗ୍ରୀଲ୍ ତାଲା ଭାଙ୍ଗି ଘର ଭିତରେ ଥିବା ଦୁଇଟି ଆଲମିରାରୁ ପ୍ରାୟ କେଜିଏ ଓଜନର ସୁନା ଅଳଙ୍କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ନେଇଯାଇଛନ୍ତି। ଏନେଇ ଗୃହକର୍ତ୍ତା ଖବରଦାତାଙ୍କୁ ସୂଚନା ଦେଇଛନ୍ତି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଇ-ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି। ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ସିସିଟିଭି ଫୁଟେଜ ସଂଗ୍ରହ କରି ଛାନ୍ଭିନ୍ କରୁଛି। ପ୍ରଭାକର ରାଓ ପ୍ରତିଦିନ ଭଳି ଆଜି ପ୍ରାତଃ ଭ୍ରମଣରେ ଯାଇଥିଲେ। ପୂର୍ବାହ୍ନରେ ସେ ଘରକୁ ଆସି ଦେଖିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରୁ ସୁନା ଅଳଙ୍କାର ନେଇଯାଇଥିଲେ। ଏପରିକି ଲୁଟେରାମାନେ ଯିବାବେଳେ ଗ୍ରୀଲ୍ରେ ଅନ୍ୟ ଏକ ତାଲା ପକାଇ ଚାଲିଯାଇଥିଲେ। ପ୍ରଭାକର ତାଲା ଭାଙ୍ଗି ଘର ଭିତରକୁ ଯିବା ବେଳେ ସମସ୍ତ ସୁନା ଗହଣା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ।










