26.1 C
Bhubaneswar
Tuesday, March 24, 2026
Homeଓଡିଶାଅବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥା: ସରକାରୀ ଅଯୋଗ୍ୟତାର ଜୀବନଘାତୀ ପରିଣାମ

ଅବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥା: ସରକାରୀ ଅଯୋଗ୍ୟତାର ଜୀବନଘାତୀ ପରିଣାମ

ରାଜ୍ୟର ରାସ୍ତାଘାଟ ଓ ଟ୍ରାଫିକ ବ୍ୟବସ୍ଥା ଆଜି ସମ୍ପୂର୍ଣ୍ଣ ଭାବେ ଅବ୍ୟବସ୍ଥିତ ଓ ଅନିୟନ୍ତ୍ରିତ ଅବସ୍ଥାରେ ପହଞ୍ଚିଛି। ଭିତ୍ତିଭୂମି ସୁବିଧା ସଠିକ୍ ଭାବରେ ବିକଶିତ ନ ହୋଇଥିବା ସ୍ଥିତିରେ ଯାଞ୍ଚ ନାମରେ ଜନସାଧାରଣଙ୍କ ଠାରୁ ଜୋରପୂର୍ବକ ଜରିମାନା ଆଦାୟ କରାଯିବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ରାଜ୍ଯ କଂଗ୍ରେସର ମୁଖପାତ୍ର ଶ୍ରୀଯୁକ୍ତ ଅଶୋକ ସ୍ବାଇଁ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି। ସମଗ୍ର ରାଜ୍ୟର ରାସ୍ତାଘାଟ ଅବୈଧ ଦଖଲ ଓ ଅନିୟନ୍ତ୍ରିତ ପାର୍କିଂରେ ଆକ୍ରାନ୍ତ। ଏହା ସହିତ ରାସ୍ତାମାନ ନିମ୍ନମାନର ନିର୍ମାଣ ଓ ଖାଲଖମାରେ ପରିପୂର୍ଣ୍ଣ ଥିବାରୁ ଯାତାୟାତ ସମସ୍ୟା ଦିନକୁ ଦିନ ଭୟାବହ ଆକାର ନେଉଛି। ଅନିୟନ୍ତ୍ରିତ ଭିଡ଼ ଏବଂ ବିପର୍ଯ୍ୟସ୍ତ ଟ୍ରାଫିକ ପରିସ୍ଥିତି ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ଅସହ୍ୟ କରିଦେଇଛି। ବିଶେଷକରି ଟ୍ରାଫିକ ବିଭାଗର କାର୍ଯ୍ୟପଦ୍ଧତି ପ୍ରଶ୍ନଚିହ୍ନରେ ପଡ଼ିଛି। ଭିଡ଼ ନିୟନ୍ତ୍ରଣ ଓ ଯାତାୟାତ ସୁଚାଳନା ନକରି ଅନେକ କର୍ମଚାରୀ କେବଳ ପଛରୁ ଫଟୋ ଧରି ଚାଲାଣ କାଟିବାରେ ବ୍ୟସ୍ତ ରହୁଛନ୍ତି। ଏହି ପଦ୍ଧତି ଲୋକମାନଙ୍କ ସୁରକ୍ଷା ନୁହେଁ, ବରଂ ବେଆଇନ ଅର୍ଥ ଆଦାୟର ଏକ ମାଧ୍ୟମ ଭାବେ ପରିଣତ ହୋଇଛି। ଏହି ଅବ୍ୟବସ୍ଥାର ଫଳସ୍ୱରୂପ ଗୁରୁତର ପରିଣାମ ଦେଖାଦେଉଛି ଯଥା ଭିଡ ବାବଦ ରୋଗୀମାନେ ସମୟରେ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ଜୀବନ ହାରାଉଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ସମୟରେ ପହଞ୍ଚି ପାରୁନାହାନ୍ତି। ସାଧାରଣ ଯାତ୍ରୀମାନେ ବସ୍, ଟ୍ରେନ ଓ ବିମାନ ଛାଡ଼ି ଦେଉଛନ୍ତି। ଏହା କେବଳ ଏକ ପରିଚାଳନା ତ୍ରୁଟି ନୁହେଁ, ବରଂ ଏକ ଜରୁରୀକାଳୀନ ପରିସ୍ଥିତି, ଯାହା ସରକାରଙ୍କ ଅକ୍ଷମତା ଓ ଅଯୋଗ୍ୟତାକୁ ସ୍ପଷ୍ଟ କରୁଛି। ଏପରି ସ୍ଥିତିରେ ଲୋକମାନଙ୍କ ପ୍ରଶ୍ନ ଯେତେବେଳେ ରାସ୍ତା ଠିକ୍ ନୁହେଁ, ତେବେ କାହିଁକି ଜରିମାନା, ଯେତେବେଳେ ଟ୍ରାଫିକ ନିୟନ୍ତ୍ରଣ ନାହିଁ, ତେବେ ଦାୟୀ କିଏ, ଜନସାଧାରଣଙ୍କ ସୁବିଧା ପାଇଁ କଣ କାର୍ଯ୍ୟପଦକ୍ଷେପ। ସରକାର ତୁରନ୍ତ ଏହି ଗୁରୁତର ପରିସ୍ଥିତିକୁ ଗମ୍ଭୀରତାର ସହ କେନ୍ଦ୍ରବିନ୍ଦୁ କରି ରାସ୍ତା ମରାମତି, ଅବୈଧ ଦଖଲ ହଟାଇବା, ଟ୍ରାଫିକ ବ୍ୟବସ୍ଥା ସୁଧାର, ଓ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟବାହୀ ନେବା ଆବଶ୍ୟକ। ନହେଲେ, ଏହି ଅବ୍ୟବସ୍ଥା ଆଗାମୀ ଦିନରେ ଆଉ ଅଧିକ ଜନଜୀବନକୁ ବିପର୍ଯ୍ୟସ୍ତ କରିବା ସହ ଗୁରୁତର ଦୁର୍ଘଟଣା ଓ ମାନବିକ ସଂକଟକୁ ଆମନ୍ତ୍ରଣ ଦେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking