ଭାଇକୁ ଚାକିରି ଓ ସ୍ମୃତିସ୍ତମ୍ଭ ପ୍ରତିଶ୍ରୁତି କୁଆଡେ ଗଲା
ତଦନ୍ତକୁ ବାଟବଣା କରାଯାଉଛି
ସୌମ୍ୟାଶ୍ରୀ ପାଇଁ ସାରା ରାଜ୍ୟରେ ନ୍ୟାୟ ଭିକ୍ଷା କରିବ ବିଜେଡି
ଭୁବନେଶ୍ୱର: ଫକୀରମୋହନ କଲେଜର ବହୁ ଚର୍ଚ୍ଚିତ ସୌମ୍ୟାଶ୍ରୀ ବିଶି ଘଟଣାର ତଦନ୍ତକୁ ବାଟବଣା କରିବାରେ ବିଜେପି ସରକାର ସଫଳ ହୋଇଛି ବୋଲି ପୀଡିତାର ପରିବାରକୁ ତାଙ୍କ ବାସଭବନରେ ଭେଟିବା ପରେ ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି । ଏବିଭିପି ଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ବିଜେପି ସୁଚିନ୍ତିତ ଭାବେ ମାମଲାକୁ ରଫାଦଫା କରିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ଭଉଣୀ ସୌମ୍ୟାଶ୍ରୀ ଅପମୃତୁ୍ୟ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଦାୟୀ । ସଂପୃକ୍ତ ଥିବା କିଛି ଏବିଭିପିର ସଦସ୍ୟକୁ ବଞ୍ଚାଇବା ପାଇଁ ଏହି ଘଟଣାର ତଦନ୍ତ ଦାୟୀତ୍ୱରେ ଥିବା କ୍ରାଇମବ୍ରାଞ୍ଚ ଆଇଜି ଏସ୍ ସାଇନିଙ୍କୁ ବଦଳି କରାଯାଇଥିଲା । ଆଇସିସି କମିଟିର ତଦନ୍ତ ରିପୋର୍ଟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ । ସୌମ୍ୟାଶ୍ରୀ ଅପମୃତୁ୍ୟ ମାମଲାର ତଦନ୍ତକୁ ନେଇ ତାଙ୍କ ବାପା ଓ ମାଆ ଅସନ୍ତୋଷବ୍ୟକ୍ତ କରିଛନ୍ତି । କେବଳ ଏତିକି ନୁହେଁ ବିଜେପି ସରକାର ସୌମ୍ୟାଶ୍ରୀର ଅପମୃତୁ୍ୟ ପରେ ତାଙ୍କ ଭାଇଙ୍କୁ ଗୋଟିଏ ସରକାରୀ ଚାକିରି ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ତଦନ୍ତ କଥା ନକହିଲେ ଭଲ । ଅନ୍ୟପଟେ ସୌମ୍ୟାଶ୍ରୀଙ୍କ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲାା । ଅପମୃତୁ୍ୟର ଏତେ ଦିନ ହୋଇଗଲା ପରେ ମଧ୍ୟ ତାହା ପୂରଣ ହୋଇନାହିଁ । ଆଗାମୀ ଦିନରେ ଯଦି ସୌମ୍ୟାଶ୍ରୀ ଅପମୃତୁ୍ୟର ସଠିକ୍ ତଦନ୍ତ ନହୁଏ, ତାଙ୍କ ଭାଇଙ୍କୁ ସରକାରୀ ଚାକିରି ନଦିଆଯାଏ ଏବଂ ସ୍ମୃତି ସ୍ତମ୍ଭ ନିର୍ମାଣ କରାନଯାଏ । ବିଜୁ ଛାତ୍ର ଜନତା ଦଳ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତାଙ୍କ ଶ୍ରାଦ୍ଧ ଦିବସଠାରୁ ସାରା ରାଜ୍ୟରେ ଆନେ୍ଦାଳନ କରିବ ବୋଲି ଇପସିତା ସାହୁ କହିଛନ୍ତି।










