ମୟୂରଭଞ୍ଜ: ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ ୪୩ ଯୋଡ଼ା ବର–କନିଆଁଙ୍କ ସାମୁହିକ ବିବାହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ବାରିପଦା ଛଉପଡିଆରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ବ୍ୟାଣ୍ଡ, ବାଜା ଓ ବାଣରୋଶଣି ମଧ୍ୟରେ ବର ମାନଙ୍କୁ ଧରି ବରଯାତ୍ରୀ ବିବାହ ମଣ୍ଡପରେ ପହଞ୍ଚିଥିଲା। ପରେ ବ୍ରାହ୍ମଣଙ୍କ ମନ୍ତ୍ରଚ୍ଚାରଣ, ପାଦ୍ରୀଙ୍କ ବାଇବେଲ ପାଠ, ଓ ମାଝି ହାଡ଼ାମଙ୍କ ପାରମ୍ପରିକ ବିଧିବିଧାନ ଅନୁଯାୟୀ ବିବାହ କାର୍ଯ୍ୟ ସମାପନ ହୋଇଥିଲା। ମୋଟ 43 ଯୋଡ଼ି ବରକନ୍ୟାଙ୍କ ମଧ୍ୟରେ 35 ଯୋଡ଼ି ହିନ୍ଦୁ, 7 ଯୋଡ଼ି ଆଦିବାସୀ ଓ ଏକ ଯୋଡ଼ି ଖ୍ରୀଷ୍ଟଧର୍ମର ବରକନ୍ୟାଙ୍କ ବିବାହ ସେମାନଙ୍କ ପାରମ୍ପାରିକ ରୀତିନୀତି ଅନୁସାରେ ସମାପନ ହୋଇଥିଲା। ସମସ୍ତ 43 କନ୍ୟାଙ୍କ କନ୍ୟାଦାନ କରିଥିଲେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ। ଏହି ଅବସରରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ନବଦମ୍ପତ୍ତିଙ୍କୁ 45ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଛଣା ସଜ ଓ ରୋଷେଇ ସରଞ୍ଜାମ ଉପହାର ଦିଆ ଯାଇଥିଲା। ବିବାହ ସମାପ୍ତ ପରେ ଉପସ୍ଥିତ ଅତିଥିମାନେ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସେଥିସହ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ସାମୁହିକ ବିବାହ ଉତ୍ସବକୁ ଦେଖିବା ପାଇଁ ବହୁ ସ୍ଥାନୀୟ ଲୋକ ମଧ୍ୟ ଉପସ୍ଥିତ ଥିଲେ।










