25.1 C
Bhubaneswar
Wednesday, March 11, 2026
Homeଓଡିଶାଅବକାରୀ ବିଭାଗର ଚଢ଼ାଉ: ୩୬୫ ଲିଟରର ଦେଶୀ ମଦ ଜବତ, ୨ ଗିରଫ

ଅବକାରୀ ବିଭାଗର ଚଢ଼ାଉ: ୩୬୫ ଲିଟରର ଦେଶୀ ମଦ ଜବତ, ୨ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ବିଭିନ୍ନ ଅଞ୍ଚଳରେ ଅବୈଧ ଦେଶୀ ମହୁଲି ମଦ ପ୍ରସ୍ତୁତି ଓ ବ୍ୟବସାୟ ଚାଲିଥିବା ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ବାଘୋଲତା ଗ୍ରାମର ଆସପାସର ନଦୀ, ନାଳ ଓ ଝରଣା କୂଳରେ ଅବୈଧ ଭାବେ ମହୁଲି ମଦ ପ୍ରସ୍ତୁତି ହେଉଥିବା ନେଇ ବିଶେଷ ସୂତ୍ରରୁ ଖବରପାଇ ଚଢ଼ାଉ କରାଯାଇଥିଲା। କରଞ୍ଜିଆ ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଓଆଇସି ରଶ୍ମି ରଞ୍ଜନ ନାୟକ, ଏଏସଆଇ ଫୁଲମଣି ନାୟକଙ୍କ ସହ କରଞ୍ଜିଆ ଅବକାରୀ ବିଭାଗର କର୍ମଚାରୀମାନଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ ଜାରି ରହିଥିଲା । ଚଢ଼ାଉ ସମୟରେ ପ୍ରାୟ ୩୮୫୦ କେଜି ମହୁଲ ପଚୋ ଓ ୩୬୫ ଲିଟର ପ୍ରସ୍ତୁତ ଦେଶୀ ମହୁଲି ମଦ ଜବତ କରାଯାଇଥିଲା। ସେହିପରି ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରି ଘଟଣାସ୍ଥଳରେ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଏହାବ୍ୟତୀତ ସେହି ଗ୍ରାମର ପଦନ ହାଁସଦା ଦେଶୀ ମହୁଲି ମଦ ବିକ୍ରି କରୁଥିବାରୁ ତାଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ତା ସହିତ ପାଟବିଲ ଗ୍ରାମର ଶଙ୍କର ମାଝି ଦେଶୀ ମହୁଲି ମଦ ବିକ୍ରି କରୁଥିବାରୁ ତାଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ମଧ୍ୟ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ସମୁଦାୟ ୪୦୫ଲିଟର ମହୁଲି ମଦ ଜବତ କରାଯାଇଛି।ଏହି ଘଟଣାରେ ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ଥାନାରେ କେଶ ନଂ ୨୨୨ ଓ ୨୨୩/୨୫-୨୬ ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ ମାନ୍ୟବର ଅଦାଲତକୁ ପଠାଯାଇଛି ବୋଲି ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ପକ୍ଷରୁ ଜଣାପଡ଼ିଛି । ଆଗାମୀ ଦିନରେ ଚଢ଼ାଉ ଆହୁରି ଅଧିକ କଠୋର କରାଯିବ। ଅବକାରୀ ଓଆଇସି ଶ୍ରୀ ନାୟକ କହିଛନ୍ତି ଯେ, ସାମାଜିକ ଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଅବୈଧ ମଦ ବିରୋଧରେ ବିଭାଗର କଠୋର ପଦକ୍ଷେପ ଅବ୍ୟାହତ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking