ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡ଼ିଆଠାରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ “ନ୍ୟାୟ ସଂହିତା ପ୍ରଦର୍ଶନୀ”ରେ ଦର୍ଶକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ନୂତନ ଆପରାଧିକ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀରେ ଆଜି ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଓଡ଼ିଶା ପୋଲିସର ବିଭିନ୍ନ ୟୁନିଟ୍ର କାର୍ଯ୍ୟକଳାପ, ପ୍ରଯୁକ୍ତିବିଦ୍ୟା ଓ ସୁରକ୍ଷା ବ୍ୟବସ୍ଥାକୁ ଅତି ନିକଟରୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି।
ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଥିବା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (Crime Against Women & Children Wing) (CAW & CW) ଷ୍ଟଲ୍ ପକ୍ଷରୁ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। “ସୁରକ୍ଷିତ ନାରୀ, ସୁରକ୍ଷିତ ଶୈଶବ – ସମୃଦ୍ଧ ଓଡ଼ିଶାର ଅଭିଳାଷ” ବାର୍ତ୍ତାକୁ ନେଇ ଏଠାରେ ଜନସାଧାରଣଙ୍କୁ ନୂତନ ଆପରାଧିକ ନ୍ୟାୟ ସଂହିତାରେ ଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଉଛି। ଏହା ବ୍ୟତୀତ କୋମଳମତି ଶିଶୁମାନଙ୍କ ପାଇଁ ଏକ ‘ଶିଶୁ ଅନୁକୂଳ ଖେଳ ପରିବେଶ’ ସୃଷ୍ଟି କରାଯାଇଛି, ଯେଉଁଠାରେ ସେମାନେ ଖେଳକୁଦ ମାଧ୍ୟମରେ ନିଜର ସୁରକ୍ଷା ଅଧିକାର ଓ ପୋକ୍ସ ନିୟମର ମୌଳିକ ସୂଚନା ପାଇପାରୁଛନ୍ତି। ଏଥିସହିତ ନିଖୋଜ ପିଲାମାନଙ୍କୁ ପରିବାର ସହ ପୁନର୍ମିଳନ କରାଇବାରେ ପୋଲିସର ସଫଳତା ଓ ପ୍ରୟାସକୁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପନ କରାଯାଇଛି, ଯାହା ଦର୍ଶକଙ୍କ ମନରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି କରିଛି।
ଅନ୍ୟପଟେ, State Crime Records Bureau (SCRB) ଷ୍ଟଲରେ ଓଡ଼ିଶା ପୋଲିସର ‘ଡିଜିଟାଲ ରୂପାନ୍ତର’ର ଏକ ଚିତ୍ତାକର୍ଷକ ପ୍ରତିଛବି ଦେଖିବାକୁ ମିଳିଛି। ଆଧୁନିକ ଡାଟାବେସ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଡିଜିଟାଲ୍ ପୋଲିସିଂ ଟୁଲ୍ ବ୍ୟବହାର କରି ପୋଲିସ କିପରି ଅତି କମ୍ ସମୟ ମଧ୍ୟରେ ଅପରାଧୀଙ୍କୁ ଚିହ୍ନଟ କରିବା ସହ ଜଟିଳ ମାମଲାର ପର୍ଦ୍ଦାଫାଶ କରୁଛି, ସେ ସମ୍ପର୍କରେ ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଓ ଡାଟା ବିଶ୍ଳେଷଣ ମାଧ୍ୟମରେ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ ପ୍ରକ୍ରିୟାକୁ କିଭଳି ଅଧିକ ସ୍ୱଚ୍ଛ ଏବଂ ଶକ୍ତିଶାଳୀ କରାଯାଇଛି, ତାହା ଦେଖିବା ପାଇଁ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।ଏହି ପ୍ରଦର୍ଶନୀ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଜନସାଧାରଣ ଏହି ସୁଯୋଗର ଲାଭ ଉଠାଇ ନୂତନ ଆଇନ ଏବଂ ପୋଲିସର ଆଧୁନିକୀକରଣ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।










