ଭୁବନେଶ୍ୱର: ଆଗାମୀ ତିନି ଦିନ ମଧ୍ୟରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାର୍ଚ୍ଚ ୧୦ ତାରିଖ ରାତି ୮.୩୦ ଯାଏଁ ବିଜୁଳି ଘଡଘଡି ଏବଂ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଏନେଇ ଆଜି ପାଇଁ ୧୨ଟି ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ୮ ତାରିଖ ପାଇଁ ୨୪ଟି ଜିଲ୍ଲାକୁ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥି ମଧ୍ୟରୁ ୪ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସେହିଭଳି ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ସେହିପରି ଗୁଳୁଗୁଳି ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ ।










