21.1 C
Bhubaneswar
Wednesday, February 25, 2026
Homeଓଡିଶାଝାରସୁଗୁଡ଼ା, ବଲାଙ୍ଗୀର ଓ ପିପିଲିରୁ ଜନସାଧାରଣ ଆସି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ

ଝାରସୁଗୁଡ଼ା, ବଲାଙ୍ଗୀର ଓ ପିପିଲିରୁ ଜନସାଧାରଣ ଆସି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାଜ୍ୟ ଅତିଥିଭବନ ଠାରେ ଝାରସୁଗୁଡ଼ା, ପୁରୀ ଜିଲ୍ଲାର ପିପିଲି ଏବଂ ବଲାଙ୍ଗୀର ଜିଲ୍ଲାରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକାଭିମୁଖୀ ବଜେଟରେ ସେମାନଙ୍କ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଯୁବସମାଜ ପ୍ରମୁଖ ଆଜି ଭୁବନେଶ୍ୱର ଆସି ବଜେଟରେ ଜିଲ୍ଲାରେ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁର୍ନବିକାଶ ପାଇଁ ପ୍ରସ୍ତାବ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ୱର୍ଦ୍ଧିତ କରି କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ରାଜ୍ୟର ସର୍ବକନିଷ୍ଠ ଜିଲ୍ଲା ଭାବେ ଝାରସୁଗୁଡ଼ା ଜିଲ୍ଲା ୩୨ ବର୍ଷ ପରେ ପ୍ରଥମ ବିଶ୍ୱବିଦ୍ୟାଳୟ ପାଇଛି । ଝାରସୁଗୁଡ଼ା ବାସୀଙ୍କର ଉଚ୍ଚ ଶିକ୍ଷା ପାଇଁ ଆଶା ଆକାଂକ୍ଷା ପୂରଣ କରିବ ଏହି ବିଶ୍ୱ ବିଦ୍ୟାଳୟ ।

ସେହିଭଳି, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ଚାନ୍ଦୁଆ କାରିଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବିତ ଚାନ୍ଦୁଆ ବଜାର ପାଇଁ କୃତଜ୍ଞତା ଜଣାଇଥିଲେ । ଚାନ୍ଦୁଆ ଶିଳ୍ପର ଅଭିବୃଦ୍ଧି ଏବଂ କାରିଗର ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଏହି ବଜାର ଅତ୍ୟନ୍ତ ଉପଯୋଗୀ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ । ବଲାଙ୍ଗୀରରେ ସରକାରୀ ଇଞ୍ଜିନିଅରିଂ କଲେଜ ଓ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ କୁମାର ଜୈନଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲାର ନାଗରିକ ସମାଜ ବିପୁଳ ସଂଖ୍ୟାରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କରି କୃତଜ୍ଞତା ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, କେବଳ ୨୦୨୬-୨୭ ବଜେଟରେ ନୁହେଁ, ୨୦୨୫-୨୬ ବଜେଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ନର୍ସିଂ କଲେଜ ଓ ଗୋଟିଏ ଡେଣ୍ଟାଲ କଲେଜ ଖୋଲିବା ପାଇଁ ପ୍ରାବଧାନ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ କ୍ଷେତ୍ରର ବିକାଶ ତ୍ୱରାନ୍ୱିତ ହୋଇଛି । ୨୦୨୬-୨୭ ବର୍ଷର ବଜେଟରେ ଓଡ଼ିଶାର ସମସ୍ତ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରୁ ଗତ ତିନିଦିନ ଧରି ଜନସାଧାରଣ ଖୁସିର ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking