24.1 C
Bhubaneswar
Saturday, February 21, 2026
Homeଓଡିଶାପ୍ରତିବର୍ଷ ୫୦ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର

ପ୍ରତିବର୍ଷ ୫୦ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ବାସହୀନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ସୁଲଭ ମୂଲ୍ୟରେ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ର ସଫଳ ରୂପାୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ‘ପିଏମଏୱାଇ-ଅର୍ବାନ ବନ୍ଧୁ’ (PMAY-Urban BANDHU: Beneficiary Assistance for Nurturing Development of Housing Units) କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟୟବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଆର୍ଥିକ ଅନଗ୍ରସର ଶ୍ରେଣୀ (EWS) ଏବଂ ସହରାଞ୍ଚଳର ଭୂମିହୀନ ପରିବାରଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଆବାସ ସୁବିଧା ସୁନିଶ୍ଚିତ କରାଯିବ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ, “ପିଏମଏୱାଇ-ଅର୍ବାନ ବନ୍ଧୁ ଯୋଜନା ସୁଲଭ ମୂଲ୍ୟରେ ବାସଗୃହ ନିର୍ମାଣ ପାଇଁ ଜମିର ଉପଲବ୍ଧତାକୁ ସୁନିଶ୍ଚିତ କରିବା ସହ ଗୃହ ନିର୍ମାଣ ମିଶନକୁ ଅଧିକ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦ ଅଧୀନରେ ଥିବା ଏଏଚପି (AHP) ଭର୍ଟିକାଲ୍ ପାଇଁ ପ୍ରତିବର୍ଷ ୫୦ ଏକର ଜମି ଚିହ୍ନଟ କରାଯିବା ଦ୍ୱାରା ଇଡବ୍ଲୁଏସ୍ (EWS) ପରିବାରଙ୍କୁ ଗୃହ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ସହରାଞ୍ଚଳରେ ପକ୍କାଘର ସୀମା ବୃଦ୍ଧି ପାଇବ।” ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ଚଳିତ ଆର୍ଥିକ ବର୍ଷ ବଜେଟରେ ୧୨୦ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ପୌରସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପ୍ରକ୍ରିୟାକୁ ସରଳୀକୃତ କରାଯିବ। ରାଜ୍ୟ ସରକାରଙ୍କ ‘ବିକଶିତ ଓଡ଼ିଶା’ ପରିକଳ୍ପନା ଅନୁଯାୟୀ ୨୦୨୯ ସୁଦ୍ଧା ୯୦ ପ୍ରତିଶତ ପରିବାରଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସହରାଞ୍ଚଳର କୌଣସି ବି ଯୋଗ୍ୟ ପରିବାର ଯେପରି ଏହି ସୁବିଧାରୁ ବଞ୍ଚିତ ନହୁଅନ୍ତି, ତାହାକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking