କଟକ : ରାଜ୍ୟରେ ୪ଟି ଜିଲ୍ଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ବଜେଟ୍ରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିନ୍ତୁ ରାଜ୍ୟର ପ୍ରଥମ ଓ ଦେଶର ଦ୍ବିତୀୟ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା କଲେଜ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ବଞ୍ଚିତ ରଖାଯାଇଛି । ଯାହାକୁ ନେଇ କଟକ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୧୧୩ ବର୍ଷର ଏହି ପୁରାତନ ଐତିହାସିକ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଦାବି କରି ଆସୁଛନ୍ତି । ସରକାର ପୂର୍ବରୁ ଭୁବନେଶ୍ବରର ରମାଦେବୀ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିଥିଲେ । କିନ୍ତୁ ଶୈଳବାଳା କଲେଜ୍କୁ କାହିଁକି ଏତେ ଅଣଦେଖା କରାଯାଉଛି କହି ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାକୁ ନେଇ ପୁଣିଥରେ ଆନ୍ଦଳନକୁ ଓହ୍ଲାଇଛନ୍ତି ମହାବିଦ୍ୟାଳୟ ଛାତ୍ରୀମାନେ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରୀ, ପୁରାତନ ଛାତ୍ରୀ ଓ ବୁଦ୍ଧିଜୀବୀ ।










