22.1 C
Bhubaneswar
Wednesday, February 18, 2026
Homeଦେଶ ବିଦେଶବାଂଲାଦେଶକୁ ନୂଆ ଭାଗ୍ୟ ବିଧାତା ତାରିକ୍ ରେହମାନ୍‌

ବାଂଲାଦେଶକୁ ନୂଆ ଭାଗ୍ୟ ବିଧାତା ତାରିକ୍ ରେହମାନ୍‌

– ୪୯ ମନ୍ତ୍ରୀଙ୍କ ସହ ଶପଥ ନେଲେ ବିଏନ୍‌ପି ମୁଖ୍ୟ
– ଶପଥ ଉତ୍ସବରେ ଯୋଗଦେଲେ ଓମ୍ ବିର୍ଲା, ବିକ୍ରମ ମିଶ୍ରି

ଢ଼ାକା: ବାଂଲାୋଦଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ମୁଖ୍ୟ ତାରିକ୍ ରେହମାନ୍ ମଙ୍ଗଳବାର ବିଧିବଦ୍ଧ ବାଂଲାଦେଶର ନୂଆ ତଥା ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହ ବାଂଲାଦେଶରେ ଆଜିଠୁ ତାରିକ ରେହମାନଙ୍କ ଶାସନ ଆରମ୍ଭ ହୋଇଛି। ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ତାଙ୍କ ଦଳ ବିଏନ୍‌ପି ନେତୃତ୍ୱାଧୀନ ମେଣ୍ଟ ଏକ ବିରାଟ ବିଜୟ ହାସଲ କରିବା ପରେ ତାରିକ୍ ରେହମାନ୍ ବାଂଲାଦେଶର ନୂଆ ଭାଗ୍ୟ ବିଧାତା ସାଜିବା ସ୍ପଷ୍ଟ ହୋଇଯାଇଥିଲା। ତେବେ ବାଂଲାଦେଶକୁ ଏବେ ଯେତେବେଳେ ନୂଆ ପ୍ରଧାନମନ୍ତ୍ରୀ ତଥା ନୂଆ ସରକାର ମିଳିଛି ସେତେବେଳେ ମଧ୍ୟବର୍ତ୍ତୀକାଳୀନ ସରକାର ସ୍ୱତଃ ନିଷ୍ପ୍ରଭ ହୋଇଯାଇଛି। ଅନ୍ତରୀଣ ସରକାରରେ ମୁଖ୍ୟ ସାଜିଥିବା ମହମ୍ମଦ ୟୁନୁସ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅବଶ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଦେଶର ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି କିନ୍ତୁ ଏସମ୍ପର୍କରେ ତାରିକ୍ ରେହମାନ୍ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ସଂକେତ ଦିଆଯାଇନାହିଁ। ପ୍ରକାଶ, ତାରିକ୍ ରେହମାନ୍ ପୂର୍ବତନ ତଥା ଦିବଂଗତ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ ଏବଂ ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମାନଙ୍କ ପୁଅ। ସେ ୧୭ ବର୍ଷ ଲଣ୍ଡନରେ ରହିବା ପରେ ଦୁଇ ମାସ ପୂର୍ବରୁ ବାଂଲାଦେଶ ଫେରିଥିଲେ।

ତାରିକ୍ ରେହମାନ୍‌ଙ୍କ ଶପଥ ଗ୍ରହଣ ସମାରୋହ ମଙ୍ଗଳବାର ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ ପ୍ଲାଜାରେ ଅନୁଷ୍ଠିତ ହୋଇଥିଲା। ଏହାପୂର୍ବରୁ ଆଜି ଅପରାହ୍ନରେ, ବିଏନ୍‌ପି ସାଂସଦମାନେ ତାରିକ୍ ରେହମାନ୍‌ଙ୍କୁ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ କରିଥିଲେ। ଶପଥ ସମାରୋହରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାରିକ୍ ରେହମାନଙ୍କ ସହିତ ନୂତନ ସରକାରଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଥିଲେ। ରେହମାନଙ୍କ ବ୍ୟତୀତ, ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏଥିରେ ଡକ୍ଟର ଖଲିଲୁର ରହମାନ (ବୈଦେଶିକ ମନ୍ତ୍ରୀ), ସଲାହୁଦ୍ଦିନ ଅହମ୍ମଦ (ସ୍ୱରାଷ୍ଟ୍ର ମନ୍ତ୍ରୀ), ଡକ୍ଟର ଆମିର ଖସରୁ ମହମୁଦ (ଅର୍ଥ ଏବଂ ଯୋଜନା ମନ୍ତ୍ରୀ) ଏବଂ ଶାମା ଓବୈଦ (ବୈଦେଶିକ ରାଷ୍ଟ୍ରମନ୍ତ୍ରୀ) ପ୍ରମୁଖ ସାମିଲ ଅଛନ୍ତି। ସେହିପରି ଏକମାତ୍ର ହିନ୍ଦୁ ମନ୍ତ୍ରୀ ଭାବେ ନିତାଇ ରାୟ ଚୌଧୁରୀ ଏବଂ ଜଣେ ବୌଦ୍ଧ ମନ୍ତ୍ରୀ, ଦୀପେନ ଦିୱାନ ଚକ୍‌ମାଙ୍କୁ ମଧ୍ୟ ତାରିକ୍ ନିଜ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ କରିଛନ୍ତି। ୨୫ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ନୂଆ ମୁହଁ। ସମସ୍ତ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ନୂଆ।

ଶପଥ ଗ୍ରହଣ ସମାରୋହ ପାଇଁ ବିଶ୍ୱର ବିଭିନ୍ନ ଦେଶକୁ ନିମନ୍ତ୍ରଣ କରାଯାଇଥିଲା। ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଉତ୍ସବରେ ଯୋଗଦେବା ପାଇଁ ଢାକାରେ ପହଞ୍ଚିଥିଲେ, ଯେଉଁଠାରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଉଭୟ ଶ୍ରୀ ବିର୍ଲା ଏବଂ ମିଶ୍ରି ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ତାରିକ୍ ରେହମାନ୍‌ଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି। ଏମାନଙ୍କ ବ୍ୟତୀତ, ମାଲେସିଆର ପ୍ରଧାନମନ୍ତ୍ରୀ, ପାକିସ୍ତାନ, ମାଳଦ୍ୱୀପ, ତୁର୍କୀ ଏବଂ ଶ୍ରୀଲଙ୍କାର ପ୍ରତିନିଧିମାନେ ଉତ୍ସବରେ ଉପସ୍ଥିତ ଥିଲେ। ଚୀନ୍‌, ସାଉଦି ଆରବ, ୟୁଏଇ ଏବଂ ବ୍ରୁନେଇକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଗତ ଗୁରୁବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ମୋଟ୍ ୨୯୯ ଆସନରୁ ୨୦୯ଟି ଜିତିଥିଲା, ଯାହା ୧୫୦ ସଦସ୍ୟ ବିଶିଷ୍ଟ ସଂଖ୍ୟାଗରିଷ୍ଠତା ଅଙ୍କ ଅତିକ୍ରମ କରିଥିଲା। ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ତିନୋଟି ଆସନ ଜିତିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking