ଭୁବନେଶ୍ୱର: ବୃକଲିନ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ସୃଷ୍ଟି ଏକାଡେମି କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ପୂର୍ବତଟ ରେଲପଥ ଅନୁଗୁଳ, ସୁକିନ୍ଦା ପ୍ରୋଜେକ୍ଟ ମ୍ୟାନେଜିଂ ଡାଇରେକ୍ଟର ଦିଲ୍ଲୀପ କୁମାର ସାମନ୍ତରାୟ ମୁଖ୍ୟଅତିଥି, ଫ୍ୟୁଚର୍ ଭୁବନେଶ୍ୱର ସ୍କୁଲର ଅଧ୍ୟକ୍ଷ ମ୍ୟାଥ୍ୟୁ ଥୋମାସ୍, ପ୍ରଭୁଜୀ ଇଂରାଜୀ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ କିଶୁ ଚନ୍ଦ୍ର ପୃଷ୍ଟି ଏବଂ ସ୍କୁଲର ନିର୍ଦ୍ଦେଶକ ଇଂ. ସରୋଜ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷା ଜୟଶ୍ରୀ ପ୍ରଭା ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ବିଦ୍ୟାଳୟ ଦୀର୍ଘ ୨୫ ବର୍ଷ ଧରି ଉନ୍ନତ ମାନର ଶିକ୍ଷା ପ୍ରଦାନ କରିଆସୁଛି। ସମାଜରେ ଭଲ ମଣିଷ ଗଢ଼ି ତୋଳିବା ପାଇଁ ଏହି ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଇଂ. ସରୋଜ କୁମାର ସାହୁ ନିଜର ମତ ପୋଷଣ କରିଛନ୍ତି। ଇଂ ସାହୁ କହିଥିଲେ ଯେ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ଯେଉଁଠି ପିଲାଙ୍କୁ କେବଳ ଗୁଣାତ୍ମକ ଶିକ୍ଷା ନୁହେଁ ବରଂ ସମାଜରେ ଭଲ ମଣିଷ ହେବାର ସୁଯୋଗ କିପରି ପାଇବ ସେ ଦିଗରେ ଗୁରୁତ୍ୱ ଦିଆଯାଇଥାଏ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ, ରାମ୍ପ ୱାକ୍, ଗ୍ରୁପ୍ ଡାନ୍ସରେ ଭାଗ ନେଇ ନିଜ ନିଜ ପ୍ରତିଭା ପ୍ରଦର୍ଶିତ କରିଥିଲେ।










