ଥିରୁଅନନ୍ତପୁରମ୍: କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ସୋମବାର ସୁପ୍ରିମକୋର୍ଟ ଏକ ୯ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ଖଣ୍ଡପୀଠରେ କିଏ କିଏ ରହିବେ ସେ ସମ୍ପର୍କରେ ପ୍ରଧାନ ବିଚାରପତି ପରବର୍ତ୍ତୀ ସମୟରେ ନିର୍ଦ୍ଦେଶ ଦେବେ। ଏଥିସହ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୪ କିମ୍ବା ତା’ପୂର୍ବରୁ ଏହି ମାମଲା ସହ ସମ୍ପୃକ୍ତ ପକ୍ଷମାନଙ୍କୁ ସେମାନଙ୍କର ଲିଖିତ ଯୁକ୍ତି ଦାଖଲ କରିବାକୁ ମଧ୍ୟ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ଏହି ମାମଲାର ଶୁଣାଣି ଏପ୍ରିଲ୍ ୭ରୁ ଆରମ୍ଭ ହେବା ଏବଂ ଏପ୍ରିଲ୍ ୨୨ ସୁଦ୍ଧା ଶେଷ ହେବା ନେଇ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରୁଛନ୍ତି। ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି ଯେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ସାବରୀମାଳା ସହ ଜଡିତ ଆଇନଗତ ପ୍ରଶ୍ନଗୁଡ଼ିକ ଉପରେ ପ୍ରଥମେ ବିତର୍କ ହେବ, ଏବଂ ତା’ପରେ ହିଁ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟଗୁଡ଼ିକ ଗ୍ରହଣ କରାଯିବ। ଆଇନଗତ ସୂକ୍ଷ୍ମତାକୁ ବୁଝିବାରେ ଖଣ୍ଡପୀଠକୁ ସହାୟତା କରିବା ପାଇଁ କୋର୍ଟ ବରିଷ୍ଠ ଆଇନଜୀବୀ କେ. ପରମେଶ୍ୱର ଏବଂ ଶିବମ୍ ସିଂହଙ୍କୁ ଆମିକସ୍ କ୍ୟୁରି ଭାବରେ ନିଯୁକ୍ତ କରିଛନ୍ତି। ଉଭୟ ପକ୍ଷଙ୍କ ଦସ୍ତାବିଜଗୁଡ଼ିକୁ ସଂଗଠିତ କରିବା ପାଇଁ ଶାଶ୍ୱତୀ ପରିଡାଙ୍କୁ ନୋଡାଲ୍ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତ କରାଯାଇଛି। ଶୁଣାଣିକୁ ସୁବ୍ୟବସ୍ଥିତ କରିବା ପାଇଁ କୋର୍ଟ ଏକ ଚୂଡାନ୍ତ ସମୟସାରଣୀ ମଧ୍ୟ ସ୍ଥାପନ କରିଛନ୍ତି। ୭ ଏପ୍ରିଲରୁ ୯ ତାରିଖ ପର୍ଯ୍ୟନ୍ତ ସମୀକ୍ଷା ଆବେଦନକାରୀଙ୍କ ଶୁଣାଣି ହେବ, ଯେତେବେଳେ ବିରୋଧୀ ପକ୍ଷ ୧୪ ଏପ୍ରିଲରୁ ୧୬ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିବେ। ମାମଲାରେ ଅତିରକ୍ତି ବିଳମ୍ବ ଏଡାଇବା ପାଇଁ ସିଜେଆଇ ସମସ୍ତ ଓକିଲଙ୍କୁ ନିର୍ଦ୍ଧାରିତ ସମୟସାରଣୀକୁ କଠୋର ଭାବରେ ପାଳନ କରିବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶ, ଏପ୍ରିଲ ୭ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ସୁଦ୍ଧା ଶେଷ ହେବ ବୋଲି ପ୍ରସ୍ତାବ ରହିଛି। ସାବରୀମାଳା ସହିତ, ଖଣ୍ଡପୀଠ ଦାଉଦୀ ବୋହରା ସମ୍ପ୍ରଦାୟ, ମସଜିଦରେ ମୁସଲିମ ମହିଳାମାନଙ୍କର ପ୍ରବେଶ ଏବଂ ପାର୍ସୀ ମହିଳାମାନଙ୍କର ଧାର୍ମିକ ସ୍ଥିତି ଭଳି ପ୍ରସଙ୍ଗଗୁଡ଼ିକୁ ମଧ୍ୟ ବିଚାର କରିବେ। ପାର୍ସୀ ପଞ୍ଚାୟତର ପ୍ରତିନିଧିତ୍ୱ କରୁଥିବା ଓକିଲ ମଧ୍ୟ ନିଜ ଧର୍ମ ବାହାରେ ବିବାହ କରୁଥିବା ମହିଳାଙ୍କ ସ୍ଥିତି ଉଠାଇଛନ୍ତି, ଯାହାକୁ ଅତିରିକ୍ତ ପ୍ରସଙ୍ଗ ଭାବରେ ଅନ୍ତର୍ଭୁକ୍ତ କରାଯାଇପାରିବ।










