କାମାକ୍ଷାନଗର: ଜାଗରରେ ମନ୍ଦିରରେ ଦୀପ ଜାଳି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ହେଲେ ତୁମୁସିଙ୍ଗା ଥାନା ନୂଆ ମହୁଲି ଗ୍ରାମର ପୃଥ୍ୱୀରାଜ ବିଶ୍ୱାଳ (୩୮) ବୋଳି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ଜାଗର ଅବସରରେ ପୃଥ୍ୱୀରାଜ ଅଁଳାବେରେଣୀ ଗ୍ରାମ ଶିବମନ୍ଦିରରେ ଜାଗର ଜାଳି ବିଳମ୍ବିତ ରାତିରେ ନିଜ ଗ୍ରାମ ନୂଆ ମହୁଲିକୁ ଚାଲିଚାଲି ଘରକୁ ଫେରୁଥିବା ବେଳେ କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀ ହାଇସ୍କୁଲ ସାମ୍ନାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବାପରେ ପୁଲିସ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରି ଶବ ବ୍ୟବଛେଦ କରାଇଥିଲେ। ପରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।










