ଭୁବନେଶ୍ୱର: ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍ ପକ୍ଷରୁ ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଥିବାବେଳେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି | ସମଗ୍ର ରାଜ୍ୟରେ ଧର୍ମଘଟର ପ୍ରଭାବ ପଡିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବି ରାସ୍ତାଘାଟ ଶୂନଶାନ ହୋଇପଡିଛି | ବିଶେଷ କରି ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିବାବେଳେ ବାହାର ରାଜ୍ୟର ଟ୍ରକଗୁଡିକୁ ଅଟକାଇ ଦିଆଯାଇଛି । ଭୁବନେଶ୍ୱରର ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ରାସ୍ତାରେ ଗାଡି ଚଳାଚଳ କରୁନଥିବାବେଳେ ବିଭିନ୍ନ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି | ତେବେ ଭୁବନେଶ୍ୱରରେ ଆଜି ଜଣେ ବର ବିବାହ ପାଇଁ ଯାଉଥିବାବେଳେ ତାଙ୍କୁ ଆନ୍ଦୋଳନକାରୀ ଅଟକାଇଥିଲେ | ଉଲ୍ଲେଖ ଥାଉ କି ଓଡ଼ିଶାରେ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ, ପିକେଟିଂ ଓ ବିକ୍ଷୋଭ କରୁଛନ୍ତି । ଶ୍ରମିକ ସଂଗଠନମାନଙ୍କ ଏହି ସର୍ବଭାରତୀୟ ଧର୍ମଘଟକୁ ଓଡ଼ିଶାରେ କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ) ସମର୍ଥନ କରୁଛନ୍ତି ।










