19.1 C
Bhubaneswar
Thursday, February 12, 2026
Homeଓଡିଶାବାଲି ଚୋରାଚାଲାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବାଲି ଚୋରାଚାଲାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରା ବାଲି ଚାଲାଣ ବଢି ଚାଲିଛି। ଅନେକ ବାଲି ଖାଦାନ ନିଲାମ ହେଉନାହିଁ। ଯାହା ଫଳରେ ସରକାର ରାଜସ୍ୱ ହରାଉଛନ୍ତି। ବାଲି ଚୋରା ମାଫିକାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି। ଦୈନିକ ଶହ ଶହ ଟ୍ରିପ୍ ବାଲି ବିଭିନ୍ନ ବାଲି ଖାଦାନରୁ ଚାଲାଣ ହେଉଛି। ଏସବୁ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ବିଭିନ୍ନ ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କ ଜଣାତରେ ହେଉଅଛି। ଜିଲ୍ଲାରେ ଚୋରା ବାଲି ଉପରେ ଅଙ୍କୁଶ ଲଗାଇବା ସହିତ ଯେଉଁ ବାଲି ବେପାରୀମାନେ ବେଆଇନ୍ ଭାବେ ଟ୍ରିପ୍ ଟ୍ରିପ୍ ବାଲି ସରକାରୀ ତଥା ବେସରକାରୀ ଜାଗାରେ ଗଚ୍ଛିତ କରିଛନ୍ତି ତାହାକୁ ଗଚ୍ଛିତ କରିବାକୁ ବିଭିନ୍ନ ସମୟରେ ଖଣି ଅଧିକାରୀ, ତହସିଲଦାର ଏବଂ ଆର.ଆଇମାନଙ୍କୁ ଡକାଇ ନିର୍ଦ୍ଦେଶ ଦେଉଛନ୍ତି ହେଲେ ଫଳଶୂନ। ଜିଲ୍ଲାର ବିଭିନ୍ନ ତହସିଲ ଅଧିନରେ ବାଲି ମାଫିଆମାନେ ଶହଶହ ଟ୍ରିପ୍ ବାଲି ଗଦେଇ ଅଧିକ ଦରରେ ବିକ୍ରି କରୁଥିଲେ ମଧ୍ୟ ଏହାକୁ ଜବତ କରିବାକୁ ଖୋଦ୍ ଉପଜିଲ୍ଲାପାଳ କିମ୍ବା ତହସିଲଦାର ପଦକ୍ଷେପ ନେଉନାହାଁନ୍ତି। ବିନା ନିଲାମରେ ବାଲି ଖାଦାନରୁ ଦୈନିକ ବାଲି ଉଠୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର କାଗଜରେ ପ୍ରସାରଣ ହେବା ପରେ ଉଚ୍ଚସ୍ତରରୁ ଉପଜିଲ୍ଲାପାଳଙ୍କ ଉପରେ ପ୍ରବଳ ଚାପ ପଡିଅଛି।

ଏପରିକି ରାଜସ୍ୱ ସଚୀବ ମଧ୍ୟ ଉପଜିଲ୍ଲାପାଳଙ୍କୁ ଚୋରା ବାଲି ରୋକ୍ ଉପରେ ନିର୍ଦ୍ଦେଶ ଦେଇଛନ୍ତି। ନିଜକୁ ବଞ୍ଚାଇବାକୁ ଓ ନିଜ ପଦବୀକୁ ସୁରକ୍ଷିତ ରଖିବା ପାଇଁ ଉପଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଚୋରା ବାଲି ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେବା ସହିତ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଉପଜିଲ୍ଲାପାଳ ଏଠାରେ ଯୋଗ ଦେବାର ୨ ବର୍ଷ ପରେ ଆଜି ଏପରି କଣ ଘଟିଲା କି ବାଲି ଚୋରା ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀର ଆବଶ୍ୟକ ପଡିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ହନୁ ମଲାବେଳେ ସତକଥା କହିଲା ଭଳି ଶେଷରେ ଚୋରାବାଲିକୁ ନେଇ ରାଜସ୍ୱ ହାନି ହେଉଛି ବୋଲି ନିଜେ ସ୍ୱୀକାର କରି ଏଥିରେ ମୁକୁଳିବା ପାଇଁ ନିଜର ବାଟ ପରିଷ୍କାର କରିବାକୁ ସବୁମତେ ଲାଗିପଡିଛନ୍ତି। ଏଥିସହିତ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ତହସିଲର କର୍ମଚାରୀ, ଥାନା କର୍ମଚାରୀ, ଖଣି ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇଥିଲା।

ଏଥିରେ ୧୧ଟି ବାଲି ବୋଝେଇ ଗାଡି ଜବତ କରାଯାଇଛି। ଏହି ଜବତ ବାଲିକୁ ନିଲାମ କରାଯାଇ ସେହି ଅର୍ଥକୁ ସରକାରୀ ଖାତାରେ ରଖାଯିବ ବୋଲି ଉପଜିଲ୍ଲ୍‌ାପାଳ ଅରୁଣ ନାୟକ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି। ଅପରପକ୍ଷରେ ବୁଦ୍ଧିଜୀବୀମାନେ କହିଛନ୍ତି ବାଲି ଖାଦାନକୁ ଉଦ୍ଦେଶ୍ୟମୂଳକ ଭାବେ ନିଲାମ କରାଯାଉନାହିଁ। ବାଲି ଖାଦାନରୁ ବାଲି ଚୋରା ଚାଲାଣ କରିବା ପାଇଁ ସରକାରୀ ସ୍ତରରେ ହିଁ ପ୍ରୋତ୍ସାହିତ କରାଯାଉଛି। ଏଥିରେ ରାଜନେତା, ସ୍ଥାନୀୟ ପୋଲିସ, ତହସିଲ କର୍ମଚାରୀ ଓ ଖଣି ବିଭାଗ କର୍ମଚାରୀଙ୍କ ହାତ ମଧ୍ୟ ରହିଛି। ବାଲି ଚୋରାଚାଲାଣକାରୀ ଏହି ସମସ୍ତ ବ୍ୟବସ୍ଥାକୁ ନିଜ ପକେଟ୍‌ରେ ପୁରାଇ ବେଆଇନ୍ ବାଲି ଚୋରା ଚାଲାଣ କରୁଛନ୍ତି। ସମସ୍ତ ସରକାରୀ ବ୍ୟବସ୍ଥା ଏଥିପ୍ରତି ସଚେତନ ରହିିଛି। ହେଲେ ବାଲି ଖାଦାନ କିପରି ନିଲାମ ହେବ ସେ ନେଇ କେହି ଉଦ୍ୟମ କରୁନାହାଁନ୍ତି। ତେଣୁ ଯଦି ଚୋରାଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ମାଫିଆଙ୍କୁ ଏଥିରେ ସହଯୋଗ କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଚେତନ ନାଗରିକ ମହଲରେ ଦାବୀ ହେଉଛି। ଉପଜିଲ୍ଲାପାଳଙ୍କର ହଠାତ୍ ଏହି ସାମ୍ବାଦିକ ସମ୍ମିଳନୀ ସହିତ ବାଲି ମାଫିଆଙ୍କୁ ସାବାଡ୍ କରାଯିବ ବୋଲି ଯେଉଁ ପ୍ରୟାସ ଏହାକୁ ସହଜରେ ବୁଦ୍ଧିଜୀବୀମାନେ ଗ୍ରହଣ କରିପାରୁନାହାଁନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking