30.1 C
Bhubaneswar
Wednesday, September 9, 2026
Homeଓଡିଶାକେଡିଏର ୧୪୪ତମ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ: ବିକାଶମୂଳକ ପ୍ରକଳ୍ପ ଓ ମାର୍କେଟ୍ କମ୍ପ୍ଲେକ୍ସ ପୁନର୍ବିକାଶ ନେଇ...

କେଡିଏର ୧୪୪ତମ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ: ବିକାଶମୂଳକ ପ୍ରକଳ୍ପ ଓ ମାର୍କେଟ୍ କମ୍ପ୍ଲେକ୍ସ ପୁନର୍ବିକାଶ ନେଇ ସମୀକ୍ଷା

କଟକ: କଟକ ଉନ୍ନୟନ କର୍ତ୍ତୃପକ୍ଷ (କେଡିଏ.)ର ୧୪୪ତମ କର୍ତ୍ତୃପକ୍ଷ ବୈଠକ ଆଜି କେ.ଡି.ଏ. ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା କେ.ଡି.ଏ. ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଶତ୍ରୁଘ୍ନ କର, କେଡିଏ ଉପାଧ୍ୟକ୍ଷା କିରଣଦୀପ କୌର ସହୋତା, କେ.ଡି.ଏ. ସଚିବ ଶ୍ରୀ ଜନକ କୁମାର ନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ କଟକ ସହରର ନଗରୀୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକ ସୁବିଧାରେ ଉନ୍ନତି ଆଣିବା ଲକ୍ଷ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପଦକ୍ଷେପ ସମୀକ୍ଷା ଓ ଅନୁମୋଦନ କରାଯାଇଥିଲା। ସୁଚିନ୍ତିତ ଓ ସମନ୍ୱିତ ନଗରୀୟ ବିକାଶ ଉପରେ ଗୁରୁତ୍ୱ ଦେଇ ସେକ୍ଟର-୧୫ର ବିକାଶ କାର୍ଯ୍ୟକୁ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ଏଥିସହ ସାମାଜିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସ୍କୁଲ, ହସ୍ପିଟାଲ ଓ କମ୍ୟୁନିଟି ହଲ୍ ନିର୍ମାଣ ଓ ବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସମାଜର ସମସ୍ତ ବର୍ଗଙ୍କ ପାଇଁ ସୁରକ୍ଷିତ, ଗୁଣାତ୍ମକ ଓ ସୁଲଭ ଗୃହ ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁଲଭ ଗୃହ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଚଣ୍ଡୀପ୍ରସାଦ ଟାଉନ୍ ପ୍ଲାନିଂ ସ୍କିମ୍‌ର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଚାଲୁଥିବା ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, “ଆଜି କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ୧୪୪ତମ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଟକ ସହରର ବିକାଶ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରାଯିବା ସହ କିଛି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିସହ ଟାଉନ୍ ପ୍ଲାନିଂ ସ୍କିମ୍, ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ଏବଂ ବିଭିନ୍ନ ସଡ଼କ ନିର୍ମାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି।କଟକ ସହରର ଆବଶ୍ୟକତାକୁ ଦୃଷ୍ଟିରେ ରଖି କପଡ଼ା ମଣ୍ଡି ପ୍ରତିଷ୍ଠା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସହରର ଟ୍ରାଫିକ୍ ଭିଡ଼ ଓ ଯାତାୟାତ ସମସ୍ୟା ହ୍ରାସ କରିବା ପାଇଁ ଏକ ସମନ୍ୱିତ ସିଟି ଡିକନଜେସନ୍ ପ୍ଲାନ୍ ପ୍ରସ୍ତୁତ ଓ କାର୍ଯ୍ୟକାରୀ କରାଯିବ।” ସହରର ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସର ପୁନର୍ବିକାଶକୁ ମଧ୍ୟ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ପୁରୁଣା ବଜାର ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ସହ ମୌଳିକ ସୁବିଧାରେ ଉନ୍ନତି, ବ୍ୟବସାୟୀ, ବିକ୍ରେତା ଓ ଗ୍ରାହକଙ୍କ ପାଇଁ ଅଧିକ ସୁସଂଗଠିତ, ନିରାପଦ ଓ ସୁବିଧାଜନକ ପରିବେଶ ସୃଷ୍ଟି କରିବା ଏହି ପୁନର୍ବିକାଶର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ବିଭିନ୍ନ ଚାଲୁଥିବା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ଅଗ୍ରଗତି ନେଇ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ।
ମାନ୍ୟବର ମନ୍ତ୍ରୀ ଡ. ମହାପାତ୍ର ଅନୁମୋଦିତ ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ସହ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବା ଉପରେ ଜୋର ଦେଇଥିଲେ। ଯୋଜନାବଦ୍ଧ ନଗରୀୟ ବିକାଶର ସୁଫଳ ଯେପରି ସିଧାସଳଖ ନାଗରିକଙ୍କ ପାଖରେ ପହଞ୍ଚେ, ସେଥିପାଇଁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶେଷରେ କେଡିଏ ସଚିବ ଶ୍ରୀ ଜନକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking