ହରିୟାଣା: ଫରିଦାବାଦରେ ଚାଲିଥିବା ଏକ ମେଳାରେ ବଡ ଦୁର୍ଘଟଣା। ସୁରଜ କୁଣ୍ଡ ମେଳାରେ ଏକ ଝୁଲା ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କୁ ପଲୱାଲରେ ନିୟୋଜିତ ଇନ୍ସପେକ୍ଟର ଜଗଦୀସ ପ୍ରସାଦ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ଶନିବାର ସୁରଜକୁଣ୍ଡ ମେଳାରେ ସୁନାମି ଝୁଲା ଭୁଶୁଡ଼ି ପଡ଼ିଥିଲା। ସନ୍ଧ୍ୟା ପ୍ରାୟ ୬:୧୫ ସମୟରେ ଝୁଲାଟି ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ପଲୱାଲରେ ନିୟୋଜିତ ଇନ୍ସପେକ୍ଟର ଜଗଦୀଶଙ୍କ ଉଦ୍ଧାର କାର୍ଯ୍ୟ ସମୟରେ ମୃତ୍ୟୁ ଘଟିଛି। ଖବର ପାଇ ଜିଲ୍ଲା ଉପ-କମିଶନର, ପର୍ଯ୍ୟଟନ ନିର୍ଦ୍ଦେଶକ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ପୂର୍ବରୁ ଶନିବାର ସମାନ ସ୍ଥାନରେ ଆଉ ଏକ ଘଟଣା ଘଟିଥିଲା। ପବନ ଯୋଗୁଁ ଏକ ଫୁଡ୍ କୋର୍ଟର ଏକ ଗେଟ୍ ଭୁଶୁଡ଼ି ପଡ଼ିଥିଲା, ଯେଉଁଥିରେ ଦୁଇଜଣ ଆହତ ହୋଇଥିଲେ। ଏହି ଦୁଇଟି ଘଟଣା ମେଳା କମିଟି ଏବଂ ଆୟୋଜକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛି।










