ରାୟଗଡ଼ା: ଓଡ଼ିଶାରେ ମାଓବାଦ ଇତିହାସରେ ପଡ଼ିବାକୁ ଯାଉଛି ଯବନିକା। କାରଣ ଶୁକ୍ରବାର ରାୟଗଡ଼ା ଜିଲ୍ଲା ପୁଲିସ ସମ୍ମୁଖରେ ୧୫ଜଣ ଓ କନ୍ଧମାଳ ଜିଲ୍ଲା ପୁଲିସ ସମ୍ମୁଖରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଡିଭିଜନ୍ର ୭ଜଣ ଟପ ୍ମହିଳା ମାଓ କ୍ୟାଡର ସମେତ ମୋଟ ୧୫ ଜଣ ମାଓକ୍ୟାଡର ଆତ୍ମସମର୍ପଣ କରିଛନ୍ତି। ସେଥିମଧ୍ୟରେ ୨ ଜଣ ରାଜ୍ୟ କମିଟି ସଦସ୍ୟ ନିଖିଲ ଓରଫ୍ ନିରଞ୍ଜନ ରାଉତ (ଜଗତସିଂହପୁର) ଓ ତାଙ୍କ ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଅ ରଶ୍ମୀତା ଲେଙ୍କା (ଟାଙ୍ଗୀ, କଟକ) ଆତ୍ମସମର୍ପଣ କରିଛନ୍ତି। ଉଭୟଙ୍କ ନାମରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ଥିଲା। ଏହା ସହିତ ବିଜିଏନ ଡିଭିଜନର ଆଉ ୧୩ ଜଣ କ୍ୟାଡର ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ମୋଟ୍ ୧୪ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ୨ଟି ଏ.କେ -୪୭, ୫ଟି ଏସ୍ଏଲ୍ଆର୍, ଗୋଟିଏ ଲେଖାଏଁ ଷ୍ଟେନ ଓ ଇନସାସ, ଗୋଟିଏ ୩୦୩ ରାଇଫଲ ଏବଂ ସିଙ୍ଗଲ ସଟ ଗନ୍ ୪ଟି ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ନିଖିଲ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାୟଗଡ଼ା–ଗଜପତି–କନ୍ଧମାଳ ଅଞ୍ଚଳରେ ସକ୍ରିୟ ଥିଲେ।
ସେହିପରି କନ୍ଧମାଳ ଜିଲ୍ଲା ପୁଲିସ ସମ୍ମୁଖରେ କଳାହାଣ୍ଡି- କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ ) ଡିଭିଜନର ପାର୍ଟି ମେମ୍ବର ପଦରେ ଅବସ୍ଥାପିତ ଥିବା ୪ ଜଣ ମାଓ କ୍ୟାଡର ହିଂସାର ପଥ ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ସମୟରେ ସେମାନେ ଅସ୍ତ୍ର, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ନିକଟରେ ଜିମା ଦେଇଛନ୍ତି।ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଗଙ୍ଗା କୁଞ୍ଜାମି ଓରଫ୍ ଜିତେନ, ମୁଚାକି ମାସେ ଓରଫ୍ ସୁମିତ୍ରା, ଚୋମାଲି କୁଞ୍ଜମ୍ ଓରଫ୍ ଶାନ୍ତିଲା ଏବଂ ବନ୍ଦୀ ମାଡ଼ଭି ଓରଫ୍ ମାଳତୀ। ସେମାନଙ୍କ ନିକଟରୁ ଗୋଟିଏ ଏସ୍ଏଲ୍ଆର୍, ଗୋଟିଏ ୧୨ ବୋର୍ ବନ୍ଧୁକ, ୨ଟି ୩୦୩ ରାଇଫଲ ି ସମେତ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ସେମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା।
ଏହି ଅବସରରେ ଡିଜିପି କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପକୁ ସମୂଳେ ନିପାତ କରିବା ଦିଗରେ ଓଡ଼ିଶା ପୁଲିସ ଦୃଢ଼ ସଙ୍କଳ୍ପବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମାଓ ବିରୋଧୀ ଅପରେସନକୁ ଅଧିକ ଜୋରଦାର ଓ ପ୍ରଭାବଶାଳୀ କରାଯାଉଛି।ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛୁକ ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତି ଲାଗୁ କରିଛନ୍ତି। ଏହି ନୀତି ଅନୁଯାୟୀ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରୀ ସୁବିଧା, ସୁରକ୍ଷା ଏବଂ ସମ୍ମାନଜନକ ଭବିଷ୍ୟତର ସୁଯୋଗ ମିଳୁଛି। ତେଣୁ ହିଂସାର ରାସ୍ତା ପରିତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଆମ ସଂକଳ୍ପବଦ୍ଧ ଅଭିଯାନର ପରିଣାମ ସ୍ୱରୂପ, ରାୟଗଡ଼ ଓ କନ୍ଧମାଳ ୧୯ ମାଓ କ୍ୟାଡର ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଜୀଙ୍କ ସୁରକ୍ଷିତ ଓ ସଶକ୍ତ ଭାରତ ଗଠନର ସ୍ୱପ୍ନ ଏବଂ କେନ୍ଦ୍ର ଗୃହମନ୍ତ୍ରୀଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଆଜି ବାମପନ୍ଥୀ ଉଗ୍ରବାଦ ବିରୋଧରେ ଆମର ଏହି ଲଢ଼େଇକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇଛି। କେନ୍ଦ୍ର ସରକାରଙ୍କ ‘ଜିରୋ ଟଲରାନ୍ସ’ ନୀତି ଓ ନିରନ୍ତର ସହଯୋଗ ଯୋଗୁଁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ କରିବା ପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ମାଓବାଦୀମାନଙ୍କ ପାଇଁ ଆମର ‘ପୁନର୍ବାସ ଓ ଥଇଥାନ ନୀତି’ ଅଧୀନରେ ବିଭିନ୍ନ ସରକାରୀ ସୁବିଧା ଓ ସମ୍ମାନଜନକ ଜୀବନ ନିଶ୍ଚିତ କରାଯାଉଛି। ହିଂସା କେବେ ବି ସମାଧାନର ପଥ ନୁହେଁ; କେବଳ ଶାନ୍ତି ଏବଂ ପ୍ରଗତି ହିଁ ଆମ ରାଜ୍ୟର ଭବିଷ୍ୟତ। ମୁଁ ପୁଣିଥରେ ସମସ୍ତ ସକ୍ରିୟ କ୍ୟାଡରମାନଙ୍କୁ ହିଂସା ଛାଡ଼ି ବିକାଶର ସହଯୋଗୀ ହେବାକୁ ଆହ୍ୱାନ କରୁଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।










