ଭୁବନେଶ୍ବର: ଆଦିବାସୀ ମେଳାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଯାଇଛି କ୍ଷୁଦ୍ର ନାଟକ । ଆଜି ଆଦିବାସୀ ମେଳା ମଞ୍ଚରେ କ୍ଷୁଦ୍ର ନାଟକ “ବୀରପୁତ୍ର କୃତ୍ତିବାସ” ପରିବେଷଣ କରାଯାଇଛି । ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କ ଜୀବନ ଓ ଚରିତ୍ରକୁ ନେଇ ରଚିତ ଏହି କ୍ଷୁଦ୍ର ନାଟକ । କୃତିବାସ ପାଟ୍ଟଶାଣୀ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୮୩୬ ମସିହାରେ ବାଣପୁରରେ ସଶସ୍ତ୍ର ସଂଗ୍ରାମ କରି ତିନି ଦିନ ପାଇଁ ଏହାକୁ ସ୍ୱାଧୀନ କରି ଦେଇଥିଲେ । ବାଣପୁର ପାଇକ ବିଦ୍ରୋହର ସେ ଥିଲେ ନେତା । ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ । ଏହି ଐତିହାସିକ ମହାନ ବିପ୍ଲବୀଙ୍କ ଜୀବନିକୁ ନେଇ ନାଟକ ପରିବେଷଣ କରିଥିଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କର୍ମଚାରୀ ଓ ଅଧିକାରୀ । ଏହି ନାଟକର ନିର୍ଦ୍ଦେଶନା ଅନନ୍ତ କିଶୋର ସାହୁ କରିଥିବା ବେଳେ ସହ ନିର୍ଦ୍ଦେଶନା ଦେଇଛନ୍ତି ଯୁଗଳ କିଶୋର ମହାନ୍ତି ଓ ରାଜକିଶୋର ନାୟକ । ଏଥିସହ ଏହି ନାଟକକୁ ରଚନା କରିଛନ୍ତି ସ୍ବର୍ଗତ ପର୍ଶୁରାମ ହରିଚନ୍ଦନ।










