19.1 C
Bhubaneswar
Monday, February 2, 2026
Homeଓଡିଶାଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ କଲେ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ

ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ କଲେ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର:  ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା ରାଜ୍ୟର ଚାରିଜଣ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଆଜି ସମ୍ମାନିତ କରାଯାଇଛି। ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍‌ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ପକ୍ଷରୁ ନଗଦ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ପୁରସ୍କୃତ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ୨୦୨୫ ଟୋକିଓ ଡେଫ୍‌ଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟିନୀ ଲୋମା ସ୍ୱାଇଁଙ୍କୁ ୫,୦୦,୦୦୦ ଟଙ୍କା ଏବଂ ତୃତୀୟ ଏସୀୟ ଯୁବ କ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିବା ସାର୍ଥକ ଆର୍ଯ୍ୟଙ୍କୁ ୨,୦୯,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଚେସ୍ କ୍ରୀଡ଼ାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ୨୦୨୫ FIDE ବିଶ୍ୱ ମହିଳା ଟିମ୍ ଚେସ୍ ଚାମ୍ପିୟନଶିପ୍‌ରେ କାଂସ୍ୟ ପଦକ ଜିତିଥିବା ପଦ୍ମିନୀ ରାଉତଙ୍କୁ ୨,୦୦,୦୦୦ ଟଙ୍କା ଏବଂ କମନୱେଲଥ୍ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ବିଦୁସ୍ମିତା ଭୋଇଙ୍କୁ ୧,୩୩,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, “ଆମ ଖେଳାଳିଙ୍କ କଠିନ ପରିଶ୍ରମ ଓ ସାଧନା ଆଜି ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ରାଜ୍ୟ ସରକାର ପ୍ରତିଟି ପ୍ରତିଭାକୁ ସଠିକ୍ ମଞ୍ଚ ଯୋଗାଇଦେବା ସହ ଓଡ଼ିଶାକୁ ଦେଶର ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ସଂକଳ୍ପବଦ୍ଧ।” ଖେଳାଳିମାନଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ପ୍ରତିଭାଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ କ୍ରୀଡ଼ାବିତ୍‌ମାନଙ୍କୁ ସମସ୍ତ ପ୍ରକାର ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଭା.ପ୍ର.ସେ; କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଭା.ପ୍ର.ସେ; ଏବଂ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking