19.1 C
Bhubaneswar
Monday, February 2, 2026
Homeଓଡିଶାମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ମହିଳା ଚାଳକ ଉପରେ ଗୁରୁତ୍ୱ

ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ମହିଳା ଚାଳକ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ‘ଆମ ବସ’ ସେବାରେ ନିଯୁକ୍ତ ମହିଳା ଡ୍ରାଇଭରମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ପ୍ରଦାନ କରିବାକୁ ଯୋଜନା କରାଯାଇଛି। ଏହି ଉଦ୍ଦେଶ୍ୟରେ ଖାରବେଳ ଭବନ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଓ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ CRUTର ୨୦ ଜଣ ମହିଳା ଡ୍ରାଇଭରଙ୍କୁ ବିଶେଷ ପ୍ରଶିକ୍ଷଣ ପାଇଁ ମହାରାଷ୍ଟ୍ରର ପୁଣେ ସହରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି l ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଡ. ମହାପାତ୍ର ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ଉପସ୍ଥିତ ରହି ପୁନେ ଯିବାକୁ ଥିବା ମହିଳା ଡ଼୍ରାଇଭର ମାନଙ୍କୁ ଶୁଭେଛା ଜଣାଇବା ସହ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, “ମହିଳାମାନେ ଆଜି ସମସ୍ତ କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରୁଛନ୍ତି।

ସଠିକ୍ ପ୍ରଶିକ୍ଷଣ ମିଳିଲେ ସେମାନେ ପରିବହନ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ସଫଳ ହୋଇପାରିବେ ଏବଂ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ।” ରାଜ୍ୟର ବିଭିନ୍ନ ସହରରେ ‘ଆମ ବସ’ ସେବାର ସମ୍ପ୍ରସାରଣ ଓ ଯାତ୍ରୀ ସୁବିଧା ଉପରେ ସରକାରଙ୍କ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳା ପ୍ରାର୍ଥୀଙ୍କୁ ୧୪ ଦିନିଆ ଉନ୍ନତ ପ୍ରଶିକ୍ଷଣ ପାଇଁ ପୁଣେ ପଠାଯିବ। ପୁଣେର ‘ଏକ୍ସା ମୋବିଲିଟି’ ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେମାନେ ବିଦ୍ୟୁତ ଚାଳିତ ବସ (ଇ-ବସ) ଚଳାଚଳ , ଉନ୍ନତ ଡ୍ରାଇଭିଂ କୌଶଳ, ଟ୍ରାଫିକ ନିୟମ, ସୁରକ୍ଷା ପ୍ରୋଟୋକଲ ଓ ଯାତ୍ରୀ ସେବା ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିବେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ସାଧାରଣ ପରିବହନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ସହ ମହିଳା ଯାତ୍ରୀଙ୍କୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ଭରସାଯୋଗ୍ୟ ସେବା ପ୍ରଦାନ କରିବା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ CRUTର ପରିଚାଳନା ନିର୍ଦ୍ଦେଶକ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking