କୋରାପୁଟ: ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ । ନ୍ୟାୟ ଏବଂ କ୍ଷତିପୂରଣ ଦାବିରେ ସାରା ରାତି ଜଙ୍ଗଲରେ ଗ୍ରାମବାସୀଙ୍କ ଧାରଣା । କୋରାପୁଟ ଲକ୍ଷ୍ମୀପୁର ବଡଶଙ୍ଖା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଗାଁରେ ଜଣେ ମହିଳା ମଇଁଷି ଖୋଜିବାକୁ ଯାଇଥିଲେ । ସେହି ସମୟରେ ଦୁର୍ଭାଗ୍ୟବଶତଃ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ମୃତକଙ୍କୁ ସରସ୍ବତୀ ପ୍ରେପେକା ବୋଲି ଚିହ୍ନଟ କରାଯାଇଛି। କିଛି ଘଣ୍ଟା ପରେ ସରସ୍ୱତୀ ଘରକୁ ନ ଫେରିବାରୁ, ତାଙ୍କ ପରିବାର ସଦସ୍ୟମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜିର ତିନି ଦିନ ପରେ ଗତକାଲି ପରିବାର ଲୋକେ ତାଙ୍କ ମୃତଦେହ ପାଇଥିଲେ । ଭୂମି ଠାରୁ ମାତ୍ର ୪ ଫୁଟ ଉଚ୍ଚରେ ୩୩ କେଭି ବିଦ୍ୟୁତ୍ ତାର ଓହଳି ରହିଥିବାରୁ ଏଭଳି ଘଟିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି ।
ଲକ୍ଷ୍ମୀପୁର ବ୍ଲକ କଲୋନୀ ପାଖରେ ଥିବା ଓପିଟିସିଏଲର ପାଓ୍ବାର ହାଉସରୁ ରାୟଗଡା ଜିଲ୍ଲାର ଟିକିରି ସ୍ଥିତ ଆଲୁମିନା କମ୍ପାନୀକୁ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଏହା ଯୋଗୁଁ ପୀଡିତାଙ୍କ ପରିବାରକୁ ନ୍ୟାୟ ଏବଂ କ୍ଷତିପୂରଣ ଦାବି କରି ଗ୍ରାମବାସୀମାନେ ରାତିସାରା ଜଙ୍ଗଲରେ ପ୍ରତିବାଦ କରି ଆନ୍ଦୋଳନ କରିଥିଲେ। ରାତିସାରା ଗ୍ରାମବାସୀଙ୍କ ଧାରଣା ପରେ ଆଜି ସକାଳେ ଟାଟା ପାୱାର, ବିଦ୍ୟୁତ ବିଭାଗ କର୍ମଚାର, ସ୍ଥାନୀୟ ଏସଡିପିଓ, ଆଇଆଇସି ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲ୍ଦାରଙ୍କ ଆଲୋଚନା ହୋଇଥିଲା । ଆଲୋଚନା ପରେ ଟାଟା ପାୱାର କ୍ଷତିପୂରଣ ରାଶି ଦେବେ କହିଥିଲେ । ଏହା ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବିଦ୍ୟୁତ ବିଭାଗର ଘୋର ଅବହେଳା ଯୋଗୁଁ ଏକ ନୀରିହ ମହିଳାଙ୍କ ଜୀବନ ଚାଲିଯିବା ଚିନ୍ତାର ବିଷୟ ପାଲଟିଛି ।










