ଭୁବନେଶ୍ୱର,ରାଉରକେଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ୨୫ତମ ସଂସ୍କରଣର ଉଦ୍ଘାଟନ କରିବା ସହ ୮,୮୦୦ କୋଟିର ୨୦ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା ୫୨,୦୨୬ କୋଟି ଟଙ୍କାର ୨୨ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ୨୦,୪୨୭ ଜଣ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଟାଟା ଷ୍ଟିଲ୍, ଏମ୍ସିଏଲ୍, ଜେଏସ୍ଡବ୍ଲ୍ୟୁ, ବେଦାନ୍ତ, ଡାଲ୍ମିଆ ସିମେଣ୍ଟ, ସେଲ୍, ଏଏମ୍ଏନ୍ଏସ୍ ଏବଂ ରାଉରକେଲା ଚାମ୍ବର ଅଫ୍ କମର୍ସ ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପଶ୍ଚିମ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଯାତ୍ରାରେ ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ସାକ୍ଷୀ ହେବା ପାଇଁ ୫୦୦ରୁ ଅଧିକ ଶିଳ୍ପପତି ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶା ଆଉ ଅଭିବୃଦ୍ଧିର “ପରବର୍ତ୍ତୀ ସୀମା’ ନୁହେଁ, ବରଂ ଓଡ଼ିଶାର ବିକାଶର ଏକ ମୁଖ୍ୟ ଇଞ୍ଜିନ୍ଭାବେ ଉଭା ହୋଇଛି ବୋଲି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ର ରୌପ୍ୟ ଜୟନ୍ତୀ ସଂସ୍କରଣ ଆମ ପାଇଁ ନୂତନ ଚିନ୍ତାଧାରାର ଏକ ନୂତନ ପରିଭାଷା। ଏହା ପ୍ରତ୍ୟେକ କ୍ଷେତ୍ରରେ ଶ୍ରେଷ୍ଠ ହେବାକୁ ବାଟ ଫିଟାଇବ। ଆମେ ଶ୍ରେଷ୍ଠ ହେବୁ, ଆମେ ଶ୍ରେଷ୍ଠଙ୍କ ସହିତ ପ୍ରତିଯୋଗିତା କରିବୁ। ଏହି ଆତ୍ମବିଶ୍ୱାସ ସହିତ, ଆମେ ଆଗକୁ ବଢ଼ୁଛୁ। ଏ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଓଡ଼ିଶା: ନିବେଶ ପାଇଁ ଏକ ପ୍ରକୃଷ୍ଟ ଓ ସର୍ବୋତ୍ତମ ସ୍ଥାନ।’ ଏଥିରେ ସଫଳ ହେଲେ ଆର୍ôଥକ ଅଭିବୃଦ୍ଧି ଜୀବନର ଉନ୍ନତ ଗୁଣବତ୍ତା ସହିତ ସମନ୍ୱୟ ରକ୍ଷା କରିବ। ଶିଳ୍ପ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜୀବନଧାରଣ ମାନ ବୃଦ୍ଧି ଘଟିବ। ଶିଳ୍ପ ଅଭିବୃଦ୍ଧି ପ୍ରତ୍ୟେକ ନାଗରିକଙ୍କ ଜୀବନରେ ଉନ୍ନତ ସୁଯୋଗ ଆଣିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଭଲ ଶିଳ୍ପ ରଣନୀତି ଆଣିଛନ୍ତି। ପ୍ରତ୍ୟେକ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ ନିବେଶକଙ୍କୁ ଆକୃଷ୍ଟ କରିଛି। ଆମର ପ୍ରାଥମିକତା ହେଉଛି ଜମି ଆବଣ୍ଟନରୁ ଗ୍ରାଉଣ୍ଡିଂ ଏବଂ ଉତ୍ପାଦନ, ବିଶେଷକରି ପଶ୍ଚିମ ଓଡ଼ିଶାରେ ଡାଉନ୍ଷ୍ଟ୍ରିମ୍ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିବା। ଉକ୍ତ କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ବ୍ୟତୀତ ବହୁ ବିଶିଷ୍ଟ ଶିଳ୍ପପତି ଏବଂ ନିବେଶକମାନେ ଉପସ୍ଥିତ ଥିଲେ।










