କଳାହାଣ୍ଡି: ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ବାଇକରୁ ପଡି ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଡୋଙ୍ଗରି ଗ୍ରାମର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ । ଉଭୟେ ଭଇରୀପାଲି ଗ୍ରାମରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବାଟରେ ସୁନାମାଲ ଭାଲୁପଡା ରାସ୍ତାର ଏକ ବୁଲାଣି ନିକଟରେ ଅଘଟଣ ଘଟିଛି । ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାତିରେ ଏହି ଘଟଣା ସମ୍ପର୍କରେ କେହି ଜାଣି ନପାରିଥିବା ବେଳେ ଆଜି ସକାଳେ କିଛି ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










