19.1 C
Bhubaneswar
Tuesday, February 3, 2026
Homeଓଡିଶାହାଇକୋର୍ଟଙ୍କ ରାୟ ପରେ ପଦୋନ୍ନତି ଭିତ୍ତିରେ ସହସ୍ରାଧିକ ପଦବୀ ପୂରଣ ଆଶା ଉଜ୍ଜଳ

ହାଇକୋର୍ଟଙ୍କ ରାୟ ପରେ ପଦୋନ୍ନତି ଭିତ୍ତିରେ ସହସ୍ରାଧିକ ପଦବୀ ପୂରଣ ଆଶା ଉଜ୍ଜଳ

କଟକ: ସଂରକ୍ଷିତ ବର୍ଗର ସରକାରୀ କର୍ମଚାରୀଙ୍କୁ ଅଣ ସଂରକ୍ଷିତ ଆସନରେ ପଦୋନ୍ନତି ଦିଆଯାଇପାରିବ କି ନାହିଁ ସେ ସଂକ୍ରାନ୍ତରେ ଆଇନ୍‍ ଅଦାଲତରେ ବହୁ ମାମଲା ରୁଜୁ ହେବାରୁ ପଦୋନ୍ନତି କ୍ଷେତ୍ରରେ ଅଚଳାବସ୍ଥା ଉପୁଜିଥିଲା । ଆଜି ଓଡ଼ିଶା ହାଇକୋର୍ଟ ଏ ସଂକ୍ରାନ୍ତୀୟ ୬୦ରୁ ଅଧିକ ମାମଲାର ଫଇସଲା କରିବା ପରେ ପଦୋନ୍ନତି ପାଇଁ ବାଟ ଫିଟିଛି । ଫଳରେ ବିଭିନ୍ନ ବିଭାଗର ସହସ୍ରାଧିକ ପଦପଦବୀ ଖୁବ୍‍ଶୀଘ୍ର ପଦୋନ୍ନତି ଭିତ୍ତିରେ ପୂରଣ ହେବ ବୋଲି ଆଶା କରାଯାଉଛି । ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ଘେନି ୫ଜଣ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏମାନେ ଅନୁସୂଚିତ ବର୍ଗର ୩ଜଣ ଓ ଅନୁସୂଚିତ ଜନଜାତି ବର୍ଗର ଦୁଇଜଣଙ୍କୁ ପ୍ରତିପକ୍ଷ କରିଥିଲେ । ଏହାଛଡ଼ା ଏହି ମାମଲାରେ ପୂର୍ତ୍ତ, ସାଧାରଣ ପ୍ରଶାସନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଆଦି ବିଭାଗର ସଚିବମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । ଏହି ମୂଳ ମାମଲା ସହିତ ବିଭିନ୍ନ ବିଭାଗର ଆଉ ୬୦ରୁ ଅଧିକ ମାମଲାର ଏକତ୍ର ଶୁଣାଣି ପରେ ହାଇକୋର୍ଟ ରାୟ ସ୍ଥଗିତ ରଖିଥିଲେ । ଆଜି ଅନ୍ୟତମ ବିଚାରପତି ବି.ପି. ଶତପଥୀ ଏହି ମାମଲାଗୁଡ଼ିକର ରାୟ ଶୁଣାଇଛନ୍ତି । ମୂଳ ମାମଲାରେ ବେସରକାରୀ ପକ୍ଷ ଓ ପ୍ରତିପକ୍ଷମାନଙ୍କ ପକ୍ଷରୁ ବୁଦ୍ଧଦେବ ରାଉତରାୟ, ସୁବୀର ପାଲିତ, ପ୍ରହଲାଦ ସିଂହ, ଅମୀୟ କୁମାର ଛାଟୋଇ, ମନୋଜ ମିଶ୍ର, ପମି ରଥ, ପୂର୍ବତନ ଆଡଭୋକେଟ୍‍ ଜେନେରାଲ ଅଶୋକ ମହାନ୍ତି, ବିଶ୍ୱବିହାରୀ ମହାନ୍ତି, କାଳୀପ୍ରସାଦ ମିଶ୍ର, ଜୟନ୍ତ ରଥ ପ୍ରମୁଖ ବହୁ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ ।

ହାଇକୋର୍ଟ ବିଭିନ୍ନ ପକ୍ଷରୁୁ ଯୁକ୍ତି ସହିତ ସୁପ୍ରିମକୋର୍ଟଙ୍କ ନଜିର ଓ ଆଇନ୍‍ର ତର୍ଜମା କରି ଏ ସଂକ୍ରାନ୍ତରେ ୬/୫/୨୦୨୪ ଓ ୨୭/୨/୨୦୨୫ରେ ଏସ୍‍ଟି ଓ ଏସ୍‍ସି ଉନ୍ନୟନ ବିଭାଗ ଜାରି କରିଥିବା ସ୍ପଷ୍ଟୀକରଣକୁ ନାକଚ କରିଦେଇଛନ୍ତି । ଆଇନ୍‍ ବିଭାଗର ପରାମର୍ଶ ଆଧାରରେ ଏହି ସ୍ପଷ୍ଟୀକରଣ ଜାରି କରାଯାଇଥିଲା । ତେଣୁ ବସ୍ତୁତଃ ହାଇକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଆଇନ୍‍ ବିଭାଗର ମତାମତ ମଧ୍ୟ କାଟ୍‍ ଖାଇଯାଇଛି । ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବା ପାଇଁ ଥିବା କ୍ରାଇଟିରିଆ ଫର୍‍ ପ୍ରମୋଶନ ରୁଲ୍‍ର ୩(କ) ଧାରା ଅନୁଯାୟୀ ପଦୋନ୍ନତି ଦେବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଦବୀଭିତ୍ତିକ ଆସନ ସଂରକ୍ଷଣ ଆଧାରରେ ନିଜ ଯୋଗ୍ୟତା ଓ ଦକ୍ଷତା ବଳରେ ଏସ୍‍ସି ଓ ଏସ୍‍ଟି ବର୍ଗର ପ୍ରାର୍ଥୀମାନେ ଅଣସଂରକ୍ଷିତ ଆସନରେ ମଧ୍ୟ ପଦୋନ୍ନତି ପାଇପାରିବେ ବୋଲି ଏହି ଆଇନ୍‍ରେ ଉଲ୍ଲେଖ ରହିଛି । ତେବେ ଏଭଳି ପଦୋନ୍ନତି ଦିଆଯିବା ବେଳେ ସମ୍ବିଧାନର ୧୬ (୪) ଧାରା ଏବଂ ଏମ୍‍. ନାଗରାଜ ଓ ଜର୍ଣ୍ଣେଲ୍‍ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଅନୁପାଳନ କରାଯିବା ଘେନି ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏହି ମାମଲା ଯୋଗୁ ପୂର୍ତ୍ତ ବିଭାଗରେ ୩୦୦ରୁ ଅଧିକ ଏଇଇ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁ ନଥିଲା । ଏଥିସହ ବିଭିନ୍ନ ବିଭାଗର ଅନେକ ପଦବୀରେ ପଦୋନ୍ନତି ପାଇଁ ଡିପିସି ବସୁ କିମ୍ବା ନବସୁ ଅନେକ ମାମଲା ବି ରୁଜୁ ହୋଇଛି । ଅବଶ୍ୟ କେତେକ କ୍ଷେତ୍ରରେ ଅନ୍ତରୀଣ ଆଦେଶ ବଳରେ କିଛି କର୍ମଚାରୀ ପଦୋନ୍ନତି ପାଇଛନ୍ତି । ତେବେ ପୂର୍ତ୍ତ, ଆଇନ୍‍, ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ହାଇକୋର୍ଟଙ୍କ ରାୟର ପ୍ରତିଲିପି ମିଳିବା ପରେ ଏହା ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking