ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ ଆସନ୍ତା କାଲି ଲୋୟର ପିଏମଜିଠାରେ ମନରେଗା ବଞ୍ଚାଅ ସତ୍ୟାଗ୍ରହ ଅନୁଷ୍ଠିତ ହେବ l ଏହି ପରିପେକ୍ଷୀରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ ଓ ସମ୍ପାଦକ ବିଜୟ ପ୍ରଧାନ ନିଜ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ l ଅଧ୍ୟକ୍ଷ ଶ୍ରୀ ଦାଶ କହିଲେ, ଗତ ସଂସଦୀୟ ଅଧିବେଶନରେ ଭାରତ ସରକାର ଐତିହାସିକ ଆଇନ ମନରେଗାକୁ ବିକୃତ ଏବଂ କଦାକାର କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ ଦେଇଛନ୍ତି ଯାହା ସମଗ୍ର ଭାରତବର୍ଷ ପାଇଁ ଏକ ନିନ୍ଦନୀୟ ଘଟଣା l କେବଳ ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ ଦିଆଯାଇ ନାହିଁ ଆଇନରେ ଥିବା ବିଭିନ୍ନ ନିୟମ ଗୁଡିକୁ ନଷ୍ଟ କରି ଦିଆଯାଇଛି l ମହାତ୍ମା ଗାନ୍ଧୀଙ୍କର ପ୍ରମୁଖ ବାର୍ତ୍ତା ଥିଲା, ଗାଁ ସଶକ୍ତ ହେଲେ ଦେଶ ସଶକ୍ତ ହେବ l
ସେଥିପାଇଁ, 2005 ମସିହାରେ ତତ୍କାଳୀନ ମନମୋହନ ସରକାର ଗ୍ରାମର ଲୋକମାନଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କର ରୋଜଗାରକୁ ବୃଦ୍ଧି କରିବା ପାଇଁ ଏହି ମନରେଗା ଆଇନ ପ୍ରଣୟନ କରିଥିଲେ ଯାହା ପର୍ଯାୟକ୍ରମେ 12 କୋଟି ପରିବାରଙ୍କୁ କର୍ମ ସଂସ୍ଥାନ ଯୋଗାଇବା ସହ ସେମାନଙ୍କର କ୍ରୟଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥିଲା ଏବଂ ଭାରତର ବିକାଶରେ ମନରେଗା ଆଇନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା l ଏହି ଆଇନରେ କେନ୍ଦ୍ର ସରକାର 90% ଆର୍ଥିକ ସହାୟତା ରାଜ୍ୟକୁ ଦେଉଥିଲେ ଏବଂ ରାଜ୍ୟ 10% ବିନିଯୋଗ କରୁଥିଲା କିନ୍ତୁ ଜି ରାମ ଜି ଆଇନ ଅନୁସାରେ କେନ୍ଦ୍ର 60% ଓ ରାଜ୍ୟ 40% ଭାଗିଦାରୀ ରହିବ ଯାହା ଏକ ଅସମ୍ଭବ ବ୍ୟାପାର l ପରିତାପର ବିଷୟ, ମନରେଗାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିଲା l ତଳ ସ୍ତରରେ ଥିବା ଗରିବ ଲୋକମାନଙ୍କ ଦାବୀ ମୁତାବକ କର୍ମ ଯୋଗେଇ ଦେବାରେ ଏହି ଆଇନ ସମର୍ଥ ହେଉଥିଲା l ଯାହାକୁ ଜି ରାମ ଜି ଆଇନରେ ଏହି ଅଧିକାରକୁ ହଟାଇ ଦିଆଯାଇଛି l କାମ କରିବାର ସ୍ଥାନ, ସମୟ ଏବଂ ଅଟକଳ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମର୍ଜୀ ଉପରେ ନିର୍ଭର କରୁଛି l ଯାହା ଏ ଦେଶର ଗରିବ ଲୋକଙ୍କ ପାଇଁ ଏକ ଅଭିଶାପ l ସାଧାରଣ ଲୋକଟି ଗ୍ରାମ ପାଖରେ କାମ ପାଇବା ଦୁଃସ୍ବପ୍ନ l
ଏହି ପରିପେକ୍ଷୀରେ ଜାତୀୟ କଂଗ୍ରେସ ପକ୍ଷରୁ ଦେଶସାରା ମନରେଗା ବଞ୍ଚାଅ ସଂଗ୍ରାମ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରୀ ରହିଛି l ତୁରନ୍ତ ଜି ରାମ ଜି ଆଇନ ପ୍ରତ୍ୟାହାର ଓ ମନରେଗା ଆଇନର ପୁନଃ ପ୍ରଣୟନ ଦାବୀ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଆସନ୍ତା କାଲି ଲୋୟର ପିଏମଜିରେ ଏକ ରାଜ୍ୟ ସ୍ତରୀୟ ଦିନବ୍ୟାପି ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତଥା ମହାମହିମ ରାଜ୍ୟପାଳଙ୍କୁ ଏକ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯିବ l ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନର ଜାତୀୟ ଅଧ୍ୟକ୍ଷ ଡଃ ସୁନୀଲ ପନୱାର ଓ ଉପାଧ୍ୟକ୍ଷ କୁନାଲ ବାନାର୍ଜୀଙ୍କ ସହ ହଜାର ହଜାର ସଙ୍ଗଠନର କର୍ମକର୍ତ୍ତା ଯୋଗଦେବେ ବୋଲି ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ଦେଇଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ସାଧାରଣ ସମ୍ପାଦକ (ସଙ୍ଗଠନ) ବିଜୟ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l










