ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ର ୪ର୍ଥ ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମାପ୍ତିସୂଚକ ଆକଳନ-୧ର ଉପଲବ୍ଧିକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନ ଓ ସମାପ୍ତିସୂଚକ ଆକଳନ-୨ (୧ମ ରୁ ୪ର୍ଥ ଏବଂ ୬ଷ୍ଠ ରୁ ୭ମ ଶ୍ରେଣୀ) ଏବଂ ବାର୍ଷିକ ପରୀକ୍ଷା (୫ମ ଓ ୮ମ ଶ୍ରେଣୀ) ୨୦୨୬ ପାଇଁ ପ୍ରସ୍ତୁତିରେ ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି । ଏଥିସହ “ପଢ଼ିବା, ଗଢ଼ିବା ଓଡ଼ିଶା” – ପଠନ ପ୍ରୋତ୍ସାହନ ଅଭିଯାନ, ଶିକ୍ଷଣ ସୋପାନ ରେଜିଷ୍ଟର ଏବଂ ଛାତ୍ରଛାତ୍ରୀମାନଙ୍କର ପ୍ରଗତି ପରୀକ୍ଷଣ, ଡିଜିଟାଲ ଶିକ୍ଷା, ସମଗ୍ର ଶିକ୍ଷା ଯୋଜନାରେ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କର ଦାୟିତ୍ୱ ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରାଯାଇଛି ।
ସେହିପରି ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬, “ପରୀକ୍ଷା ପେ ଚର୍ଚ୍ଚା”-୨୦୨୬, ବିଦ୍ୟାଳୟ ପରିବେଶକୁ ବୁଲା କୁକୁର ମୁକ୍ତ କରିବା ଓ ବୁଲା କୁକୁର କାମୁଡ଼ା ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଏଠାରେ ପ୍ରକାଶ ଥାଉକି, ଅଭିଭାବକ-ଶିକ୍ଷକ ସମ୍ମିଳନୀ ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥାଏ । ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ତଥା ବିଦ୍ୟାଳୟର ଉନ୍ନତିକରଣ ପ୍ରକ୍ରିୟାରେ ବିଭିନ୍ନ ସମ୍ପ୍ରଦାୟ ଓ ଅଭିଭାବକମାନେ ସମ୍ମିଳିତ ହୋଇ କାର୍ଯ୍ୟ କରିବେ ବୋଲି ବୈଠକରେ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ଉନ୍ନତି ନିମନ୍ତେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରିଥିଲେ । ରାଜ୍ୟସରକାରଙ୍କ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷାର ମାନବୃଦ୍ଧି ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ଯୋଗଦାନ କରି ଏହାର ତଦାରଖ କରିଥିଲେ ।










