ନୂଆଦିଲ୍ଲୀ: ଗତ ସପ୍ତାହରେ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପାକ୍ ଏବଂ ଏହାର ମୁଖ୍ୟ ପ୍ରତୀକ ଜୈନ୍ଙ୍କ ଘର ଉପରେ ଚଢ଼ଉ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏହାମଧ୍ୟରେ ଇଡ଼ି ପକ୍ଷରୁ ସୁପ୍ରିମକୋର୍ଟରେ ଗୁରୁବାର ଅନ୍ୟ ଏକ ଦାବିପୂର୍ଣ୍ଣ ଆବେଦନ କରାଯାଇଛି। ଇଡି, ସିଧାସଳଖ ପଶ୍ଚିମବଙ୍ଗ ପୁଲିସ ଡିଜିପି ରାଜୀବ କୁମାରଙ୍କୁ ହଟାଇବା ଅର୍ଥାତ୍ ନିଲମ୍ବନ ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି। ଇଡି ନିଜ ଅଭିଯୋଗରେ ଦର୍ଶାଇଛି ଯେ, କୋଇଲା ଚୋରା ଚାଲାଣ ମାମଲା ସହିତ ଜଡିତ ଚଢ଼ଉ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳକୁ ଆସିବା ଏବଂ ଜବତ ଦସ୍ତାବିଜ୍ ତଥା ଲାପଟପ୍ ଓ ହାର୍ଡଡିସ୍କଗୁଡ଼ିକୁ ନିଜ ସହ ବଳପୂର୍ବକ ନେଇଯିବା ଘଟଣା ପଛରେ ପଶ୍ଚିମବଙ୍ଗ ରାଜ୍ୟ ଡିଜିପି ଏବଂ ଅନ୍ୟ କେତେକ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ଇଡି ଅଭିଯୋଗ କରିଛି ଯେ ଏହି ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ତଦନ୍ତରେ ବାଧା ସୃଷ୍ଟି କରିଥିଲେ ଏବଂ ପ୍ରମାଣ ଚୋରି କରିବାରେ ସହାୟତା କରିଥିଲେ। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ଆଜି ଇଡି ବିରୋଧରେ ମମତା ବାନାର୍ଜୀ ଏବଂ ଟିଏମ୍ସି ପକ୍ଷରୁ ଆଗତ ଏକ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ଇଡି ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ ରୋକ୍ ଲଗାଇଛନ୍ତି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ ଯେ ସେମାନେ ଏଜେନ୍ସିର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ। ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିପୁଲ ପାଞ୍ଚୋଲିଙ୍କ ଖଣ୍ଡପୀଠ ସିସିଟିଭି ଫୁଟେଜ ସମେତ ସମସ୍ତ ପ୍ରମାଣ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେବା ସହ ମମତା ବାନାର୍ଜୀ, ତୃଣମୂଳ କଂଗ୍ରେସ (ଟିଏମ୍ସି) ଏବଂ ପୁଲିସ୍ ବିଭାଗକୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଫେବୃଆରୀ ୩, ୨୦୨୬ରେ ଅନୁଷ୍ଠିତ ହେବ। କେନ୍ଦ୍ରୀୟ ଏଜେନ୍ସିର ଅଭିଯୋଗ ଗମ୍ଭୀର ବୋଲି କହି କୋର୍ଟ ଦୁଇ ସପ୍ତାହ ମଧ୍ୟରେ ମମତା ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି।










