ଭୁବନେଶ୍ୱର: ପଶ୍ଚିମବଙ୍ଗରେ ସନ୍ଦିଗ୍ଧ ନିପା ସଂକ୍ରମିତଙ୍କୁ ନେଇ ଓଡିଶାରେ ଆଲର୍ଟ । ଉତ୍ତର ୨୪ ପ୍ରଗଣାର ଏକ ଘରୋଇ ହସ୍ପିଟାଲରେ ୨ ଜଣ ନର୍ସ ନିପା ସଂକ୍ରମିତ ହୋଇଥିବା ଜଣାପଡିଛି । ନିପା ଭୂତାଣୁରେ ସଂକ୍ରମିତ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିପା ଭୁତାଣୁ ଚିହ୍ନଟ ହୋଇନାହିଁ । ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ନମୁନା ଏମ୍ସକୁ ପଠାଯାଇଛି । ସମକ୍ରମଣ ରୋକିବାକୁ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଟିମ୍ ଗଠନ କରାଯାଇଛି । ପଶୁ, ସଂକ୍ରମିତ ଖାଦ୍ୟ କିମ୍ବା ସିଧାସଳଖ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ । ସଂକ୍ରମିତ ଲାଳ, ମଳମୂତ୍ର ବ୍ୟତୀତ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକା ରହିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଜ୍ୱର ହେବା ସହ ମୁଣ୍ଡି ବିନ୍ଧା, ଗଳାଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ମଧ୍ୟ ହୋଇଥାଏ । ଏହି ଭୂତାଣୁ ଯୋଗୁଁ ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ମଧ୍ୟ ଚାଲିଯିବାର ଆସଙ୍କା ରହିଛି । ସେଥିପାଇଁ ନିୟମିତ ଭଲ ଭାବରେ ହାତ ଧୋଇବା ସହ ସଂକ୍ରମିତ ଘୁଷୁରୀ ଏବଂ ବାଦୁଡିଠାରୁ ଦୂରେଇ ରହିବା ଆବଶ୍ୟକ ରହିଛି ।










